ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନ୍ୟବାହିନୀ କମାଣ୍ଡର ନାମକୁ ନେଇ ଆମେରିକା ଏକ ବଡ଼ ନିଷ୍ପତ୍ତି ନେଇଛି। ଆମେରିକା ନିଜର ସବୁଠାରୁ ବଡ଼ ସୈନ୍ୟ କମାଣ୍ଡ ‘ୟୁଏସ୍ ଇଣ୍ଡୋ-ପାସିଫିକ୍ କମାଣ୍ଡ’ର ନାମ ବଦଳାଇ ପୁଣିଥରେ ଏହାର ପୁରୁଣା ନାମ ‘ୟୁଏସ୍ ପାସିଫିକ୍ କମାଣ୍ଡ’ (USPACOM) କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ଦ୍ୱାରା ୨୦୧୮ ମସିହାରୁ ଚାଲିଆସୁଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଘଟିଛି।

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ) ପକ୍ଷରୁ କୁହାଯାଇଛି ଯେ, ଏହି କମାଣ୍ଡର ସୁଦୀର୍ଘ ଐତିହାସିକ ଗୌରବକୁ ସମ୍ମାନ ଜଣାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୧୯୪୭ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ହ୍ୟାରୀ ଟ୍ରୁମ୍ୟାନଙ୍କ ସମୟରେ ଏହି କମାଣ୍ଡ ପ୍ରତିଷ୍ଠା ହୋଇଥିଲା। ତେବେ ନାମରୁ ‘ଇଣ୍ଡୋ’ (ଭାରତ) ଶବ୍ଦ ହଟାଇବା ନେଇ ଭାରତୀୟ ରଣନୀତିଜ୍ଞ ଏବଂ ବିଶ୍ଳେଷକମାନଙ୍କ ମଧ୍ୟରେ ଚିନ୍ତା ପ୍ରକଟ ହୋଇଛି। ଅନେକ ଏହାକୁ କ୍ୱାଡ୍ ସଂଗଠନର ଗୁରୁତ୍ୱ ହ୍ରାସ ଓ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ ବଦଳିବାର ସଙ୍କେତ ବୋଲି ମନେ କରୁଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ ନେଇ ସୋସିଆଲ ମିଡିଆ ‘ଏକ୍ସ’ (X) ରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଶ୍ନ କରିଛନ୍ତି, “ଏହା କ୍ୱାଡ୍‌ର ଶେଷ ସମୟ କି?”

ଅନ୍ୟପଟେ, ଆମେରିକା ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହି ପରିବର୍ତ୍ତନ କେବଳ ସାଙ୍କେତିକ। କମାଣ୍ଡର ଦାୟିତ୍ୱ, କାର୍ଯ୍ୟଶୈଳୀ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରତିବଦ୍ଧତାରେ କୌଣସି ପରିବର୍ତ୍ତନ ହେବ ନାହିଁ। ହାୱାଇରେ ମୁଖ୍ୟାଳୟ ଥିବା ଏହି କମାଣ୍ଡର ସୀମା ଆମେରିକାର ପଶ୍ଚିମ ଉପକୂଳରୁ ଆରମ୍ଭ କରି ଭାରତର ପଶ୍ଚିମ ସୀମା ପର୍ଯ୍ୟନ୍ତ ବିସ୍ତୃତ ରହିଛି, ଯାହା ପୂର୍ବଭଳି ଅପରିବର୍ତ୍ତିତ ରହିବ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ତତ୍କାଳୀନ ପ୍ରତିରକ୍ଷା ସଚିବ ଜେମ୍ସ ମ୍ୟାଟିସ୍ ଭାରତ ମହାସାଗରର ରଣନୀତିକ ଗୁରୁତ୍ୱ ଏବଂ ଭାରତ ସହ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ପାଇଁ ଏହାର ନାମ ‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ କରିଥିଲେ। ଏହି ନାମ ବଦଳିବା ପରେ ଭାରତ ଓ ଆମେରିକା ମଧ୍ୟରେ ମିଳିତ ସମରଭ୍ୟାସ ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ବୃଦ୍ତି ପାଇଥିଲା।