ଭୁବନେଶ୍ୱର/ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୩ତମ କିସ୍ତି ଅନ୍ତର୍ଗତ ଓଡ଼ିଶାର ୩୪.୬୪ ଲକ୍ଷରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଆଜି ୬୯୨.୮୬ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ସିଧାସଳଖ ଜମା କରାଯାଇଛି। ଏହି ରାଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରୁ ଦେଶବ୍ୟାପୀ ବଣ୍ଟନ କରାଯାଇଛି।

ସାରା ଦେଶରେ ଏହି ପର୍ଯ୍ୟାୟରେ ୯ କୋଟି ୪୪ ଲକ୍ଷରୁ ଅଧିକ କୃଷକଙ୍କୁ ୧୮,୮୮୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନୁସାରେ ଯୋଗ୍ୟ କୃଷକମାନଙ୍କୁ ବର୍ଷକୁ ତିନିଟି ସମାନ କିସ୍ତିରେ ମୋଟ ୬,୦୦୦ ଟଙ୍କା ସହାୟତା ଦିଆଯାଉଛି।

ଏହି ଆର୍ଥିକ ସହାୟତାକୁ କୃଷକମାନେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ଉପକରଣ କ୍ରୟରେ ବ୍ୟବହାର କରିପାରିବେ। କୃଷକଙ୍କ ସମ୍ମାନରେ ଏହି ଅବସରକୁ ‘ରାଷ୍ଟ୍ରୀୟ କୃଷକ ଉତ୍ସବ ଦିବସ’ ଭାବେ ପାଳନ କରାଯାଇଛି।

ଓଡ଼ିଶାରେ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ବଣ୍ଟନ ଉତ୍ସବ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ମହତାବ ଭବନ ଟାଉନ ହଲରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, ରାଜ୍ୟର କୃଷକମାନେ କେବଳ ଧାନ ନୁହେଁ ବରଂ ଫଳ ଓ ପନିପରିବା ଚାଷରେ ମଧ୍ୟ ସଫଳତା ପାଇ ବିଦେଶକୁ ରପ୍ତାନି କରୁଛନ୍ତି।

ସେ ଚାଷୀମାନଙ୍କୁ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସ୍ୱଳ୍ପ ଅବଧି ଫସଲ ଚାଷ କରିବାକୁ ପରାମର୍ଶ ଦେବା ସହ ଡାଲି ଓ ତୈଳଜାତୀୟ ଫସଲ ଚାଷ ବଢ଼ାଇବାକୁ ଆହ୍ୱାନ କରିଥିଲେ। ସରକାର ଏହି ଫସଲଗୁଡ଼ିକୁ ଏମଏସପି ଦରରେ କ୍ରୟ କରିବେ ବୋଲି ମଧ୍ୟ ସେ କହିଥିଲେ।

କୃଷି ବିଭାଗର କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ, ଯେଉଁ ସମସ୍ତ ଯୋଗ୍ୟ କୃଷକ ଏପର୍ଯ୍ୟନ୍ତ ପିଏମ୍ କିଷାନ ଯୋଜନାରେ ପଞ୍ଜିକୃତ ହୋଇନାହାନ୍ତି ସେମାନେ ଶୀଘ୍ର ନାମ ପଞ୍ଜିକରଣ କରି ଯୋଜନାର ଲାଭ ନିଅନ୍ତୁ।