ଛତ୍ରପୁର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଅବପାତରେ ପରିଣତ ହେବା ପରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ପ୍ରବଳ ପବନ ଓ ଉଚ୍ଚ ତରଙ୍ଗ ଯୋଗୁଁ ସମୁଦ୍ରରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହି ପରିସ୍ଥିତି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ କୂଳରେ ଆନ୍ଧ୍ରପ୍ରଦେଶର ୩୪ରୁ ଅଧିକ ମାଛଧରା ଟ୍ରଲର ଅଟକି ରହିଥିବା ବେଳେ ସେଥିରେ ଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

ସୂଚନା ଅନୁସାରେ, ରବିବାର ରାତିଠାରୁ ଆନ୍ଧ୍ରପ୍ରଦେଶର ଏକାଧିକ ଟ୍ରଲର ଓ ମାଛଧରା ଡଙ୍ଗା ସମୁଦ୍ରର ପ୍ରତିକୂଳ ପରିସ୍ଥିତି ଯୋଗୁଁ ଆର୍ଯ୍ୟପଲ୍ଲୀ ଉପକୂଳ ନିକଟରେ ଅଟକି ରହିଛି। ସମୁଦ୍ର ଉତ୍ତାଳ ଥିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରୁ ନାହାନ୍ତି। ପବନର ବେଗ ବଢ଼ୁଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଛି। ଫସିଥିବା ଟ୍ରଲର ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଗୋପାଳପୁର ବନ୍ଦର ପରିସରକୁ ଆଣି ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ତଟରକ୍ଷୀ ବାହିନୀ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

କେତେକ ଟ୍ରଲରକୁ ସୁରକ୍ଷିତ ଭାବେ କୂଳକୁ ଆଣାଯାଇଥିବା ବେଳେ ଅବଶିଷ୍ଟ ଟ୍ରଲରଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଉଦ୍ଧାର କରିବା ପାଇଁ ପଦକ୍ଷେପ ଜାରି ରହିଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ, ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ନଜରଦାରି କାର୍ଯ୍ୟ ଜାରି ରହିବ।