କଟକ: କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି (ଇନ୍ସପେକ୍ଟର-ଇନ୍-ଚାର୍ଜ) ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସାମ୍ନାକୁ ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ରହିଛି।

ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ ଯୋଗୁଁ ହିଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଛି। ଏହି ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ପୁଲିସ ପ୍ରଶାସନ ମଧ୍ୟରେ ତନାଘନା ଜୋରଦାର ହୋଇଛି।ଥାନା ପରିସରରେ ଥିବା ରେଷ୍ଟରୁମ୍‌ରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, କିଭଳି ପରିସ୍ଥିତିରେ ସେ ଶ୍ବାସରୁଦ୍ଧ ହେଲେ? ଏହା ଏକ ଯୋଜନାବଦ୍ଧ ହତ୍ୟା ନା ଆତ୍ମହତ୍ୟା?

ଯଦି ଏହା ହତ୍ୟା ମାମଲା, ତେବେ ଥାନା ଭିତରେ ଥିବା ସୁରକ୍ଷିତ ରେଷ୍ଟରୁମ୍‌ରେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା, ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।ଚାଉଳିଆଗଞ୍ଜ ପୁଲିସ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ମୃତ ଆଇଆଇସିଙ୍କ ମୋବାଇଲ୍ ଫୋନର କଲ୍‌ ଡିଟେଲ୍‌ସ (CDR), ହ୍ୱାଟସ୍‌ଆପ୍ ଚାଟ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ସବିଶେଷ ତଥ୍ୟକୁ ପୁଲିସ ଯାଞ୍ଚ କରୁଛି। ଏହି କ୍ରମରେ ପାହାଳ ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ତଦନ୍ତ ଅଧୀନରେ ଥିବା ସେହି କର୍ମଚାରୀଙ୍କ ଫୋନ୍‌କୁ ପୁଲିସ ଜବତ କରି ସାଇବର ଏକ୍ସପର୍ଟଙ୍କ ସହାୟତାରେ ଖୋଳତାଡ଼ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଆଗକୁ କେଉଁ ଆଧାରରେ ମାମଲା ରୁଜୁ କରିବ, ତାହା ଦେଖିବାକୁ ବାକି ରହିଲା। ପ୍ରାଥମିକ ଭାବେ ଏହାକୁ ଅପମୃତ୍ୟୁ ମାମଲା କୁହାଯାଉଥିଲେ ବି ସାଇଣ୍ଟିଫିକ୍ ଟିମ୍ ଏବଂ କଲ୍ ରେକର୍ଡରୁ ମିଳିଥିବା ସୂତ୍ରକୁ ଆଧାର କରି ପୁଲିସ ଏହାକୁ ହତ୍ୟା ମାମଲା ଭାବେ ରୂପାନ୍ତରିତ କରି ତଦନ୍ତ କରିପାରେ। ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଖୁବ୍ ଶୀଘ୍ର ମୃତ୍ୟୁ ପଛର ପ୍ରକୃତ କାରଣ ପଦାକୁ ଆସିବ।