ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ସଂସ୍କରଣ ପାଇଁ ତିନିଥରର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସର ନୂଆ ଅଧିନାୟକ କିଏ ହେବେ, ସେନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇରଫାନ ପଠାନ ବିଶ୍ୱାସ କରନ୍ତି ଯେ, KKR ରିଙ୍କୁ ସିଂହଙ୍କୁ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରିବାକୁ ଯାଉଛି। ଅଜିଙ୍କ୍ୟ ରାହାଣେ ସମସ୍ତ ଫର୍ମାଟ୍ରୁ ଅବସର ନେବା ପରେ KKRର ଅଧିନାୟକ ପଦ ଖାଲି ପଡ଼ିଛି ଏବଂ ଦଳ ପାଖରେ ନେତୃତ୍ୱ ପାଇଁ ଅଧିକ ବିକଳ୍ପ ନଥିବା ପଠାନ କହିଛନ୍ତି।
ଜିଓଷ୍ଟାର ସହ ଆଲୋଚନା ବେଳେ ଇରଫାନ ପଠାନ କହିଛନ୍ତି ଯେ, ରିଙ୍କୁ ସିଂହଙ୍କୁ ଅଧିନାୟକ କରିବା ନେଇ ବହୁତ ଚର୍ଚ୍ଚା ଚାଲିଛି ଏବଂ ବର୍ତ୍ତମାନ ଦଳର ସ୍କ୍ୱାଡ୍ରେ ସେ ହିଁ ସବୁଠାରୁ ଭଲ ବିକଳ୍ପ। ତେବେ ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆରେ ହେବାକୁ ଥିବା ମିନି ଅକ୍ସନ ବା ନିଲାମୀରେ KKR ଜଣେ ଅଧିନାୟକ କିଣିବାକୁ ଚିନ୍ତା କଲେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଶାଇ ହୋପ୍ଙ୍କ ନାମ ସାମ୍ନାକୁ ଆସୁଛି। ତଥାପି KKR ମ୍ୟାନେଜମେଣ୍ଟର କାର୍ଯ୍ୟଶୈଳୀକୁ ଦେଖିଲେ ରିଙ୍କୁ ହିଁ ନୂଆ ଅଧିନାୟକ ହେବେ ବୋଲି ପଠାନ ମତ ଦେଇଛନ୍ତି। ଏହା ସହ ରାହାଣେଙ୍କ ଅନୁପସ୍ଥିତିରେ ଅଙ୍ଗକ୍ରିଶ ରଘୁବଂଶୀ ଓପନିଂ କରିପାରିବେ ଏବଂ ହର୍ଷିତ ରାଣା ଫିଟ୍ ହୋଇ ଫେରିବା ଦଳର ବୋଲିଂକୁ ମଜବୁତ କରିବ ବୋଲି ସେ କହିଛନ୍ତି।
ପୂର୍ବତନ ଭାରତୀୟ ଓପନର ଆକାଶ ଚୋପ୍ରା ମଧ୍ୟ ରିଙ୍କୁ ସିଂହଙ୍କୁ ଅଧିନାୟକ ପଦ ପାଇଁ ସମର୍ଥନ କରିଛନ୍ତି। ଗତ ସିଜିନରେ ରିଙ୍କୁ ଦଳର ଉପ-ଅଧିନାୟକ ଥିବାରୁ ତାଙ୍କ ଦାବିଦାରୀ ବେଶ୍ ମଜବୁତ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଅଭିଜ୍ଞ ସ୍ପିନର ସୁନୀଲ ନାରିନ ମଧ୍ୟ ଏକ ସାମୟିକ ବିକଳ୍ପ ହୋଇପାରନ୍ତି। ଅନ୍ୟପଟେ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ଙ୍କୁ ୨୫.୨୦ କୋଟି ଟଙ୍କାରେ ରିଟେନ୍ ରଖିବା ନିଷ୍ପତ୍ତିକୁ ନେଇ ଚୋପ୍ରା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଆଇପିଏଲ୍ ପରେ ଆଶେସ୍ ସିରିଜ୍ ଥିବାରୁ ଗ୍ରୀନ୍ଙ୍କ ଉପଲବ୍ଧତା ଓ ଫିଟନେସ୍ ନେଇ ସନ୍ଦେହ ରହିଛି।
ପୂର୍ବତନ ବ୍ୟାଟର ଅଭିନବ ମୁକୁନ୍ଦ କହିଛନ୍ତି ଯେ, ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଯୋଡ଼ି ସହ ବୈଭବ ଅରୋରା ଏବଂ ସୌରଭ ଦୁବେ ଦଳକୁ ସନ୍ତୁଳିତ କରିଛନ୍ତି। ତେବେ ୪୧ କୋଟି ଟଙ୍କାର ପର୍ସ ସହ ନିଲାମୀକୁ ଯାଉଥିବା KKRକୁ ଜଣେ ଦ୍ରୁତ ବୋଲର ଓ ନୀତୀଶ ରାଣା, ଅଭିଷେକ ପୋରେଲ କିମ୍ବା ନେହାଲ ୱାଧେରାଙ୍କ ଭଳି ଜଣେ ମଧ୍ୟକ୍ରମ ବ୍ୟାଟର କିଣିବାକୁ ପଡ଼ିବ।




