ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପୁଣି ଥରେ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏଠାରୁ ପୁଣି ଏକ ବଡ଼ ଧରଣର ଆନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାଶ ହୋଇଛି। ଡିଆର୍ଆଇ (Directorate of Revenue Intelligence) ଏବଂ କଷ୍ଟମ୍ ବିଭାଗର ଏକ ମିଳିତ ଚଢ଼ାଉରେ ବିମାନ ବନ୍ଦରରୁ ବିପୁଳ ପରିମାଣର ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମାରିଜୁଆନା (ହାଇଡ୍ରୋପୋନିକ୍ ୱିଡ୍) ଜବତ କରାଯାଇଛି।
ଜବତ ହୋଇଥିବା ଏହି ନିଶାଦ୍ରବ୍ୟର ଆନୁମାନିକ ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଏହି ନିଶାଦ୍ରବ୍ୟ ଥାଇଲ୍ୟାଣ୍ଡର ବ୍ୟାଙ୍କକକ୍ରୁ ଏକ ଆନ୍ତର୍ଜାତୀୟ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଉଥିଲା।
ବିମାନ ବନ୍ଦରରେ କଷ୍ଟମ୍ ଏବଂ DRI ଅଧିକାରୀମାନେ ନିୟମିତ ଯାଞ୍ଚ କରୁଥିବା ସମୟରେ ଏକ ସନ୍ଦେହଜନକ ବ୍ୟାଗ୍ରୁ ଏହି ପ୍ରତିବନ୍ଧିତ ମାରିଜୁଆନା ଉଦ୍ଧାର କରିଥିଲେ।ଏହି ବେଆଇନ ଚାଲାଣ ସହ ସମ୍ପୃକ୍ତ ଥିବା ଯାତ୍ରୀଙ୍କୁ ସୁରକ୍ଷାକର୍ମୀ ଏବଂ ତଦନ୍ତକାରୀ ଦଳ ଅଟକ ରଖିଛନ୍ତି। ଅଭିଯୁକ୍ତଙ୍କୁ ବର୍ତ୍ତମାନ ଏକ ଗୁପ୍ତ ସ୍ଥାନରେ ମାରାଥନ୍ ପଚରାଉଚରା କରାଯାଉଛି। ଏହି ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ପଛରେ ଓଡ଼ିଶା ତଥା ଦେଶର ଅନ୍ୟ କେଉଁ କେଉଁ ମାଫିଆଙ୍କ ହାତ ରହିଛି ଏବଂ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ନେଇ ଖୋଳତାଡ଼ ଜାରି ରହିଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।




