ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ନିରାପଦର ସହ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ପୁଲିସର ‘ସ୍ପେଶିଆଲ ଟାକ୍ଟିକଲ୍ ୟୁନିଟ୍’ (STU) ପକ୍ଷରୁ ଶ୍ରୀକ୍ଷେତ୍ରରେ ଏକ ମେଗା ମକ୍ ଡ୍ରିଲ୍ ବା ସମର ଅଭ୍ୟାସ କରାଯାଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରାଯାଉଛି।

ଏହି ମକ୍ ଡ୍ରିଲ୍‌ରେ ପ୍ରଥମ କରି ଏକ ଅତ୍ୟାଧୁନିକ ରୋବଟ୍ ବ୍ୟବହାର କରାଯାଇ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏସଟିୟୁ ଅଭ୍ୟାସ କରିଛି। ପ୍ରଥମ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଏକ ବିଲ୍ଡିଂ ଏବଂ ପୁରୀ ରେଳ ଷ୍ଟେସନରେ ଏହି ଅଭ୍ୟାସ କରାଯାଇଥିବା ବେଳେ ଆଜି ସହରର ଏକ ପ୍ରତିଷ୍ଠିତ ଘରୋଇ ହୋଟେଲରେ ମକ୍ ଡ୍ରିଲ୍ କରାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଏକ ବିଲ୍ଡିଂକୁ ପ୍ରତୀକାତ୍ମକ ଭାବେ ନିୟନ୍ତ୍ରଣକୁ ନିଆଯାଇ ଆତଙ୍କବାଦୀ ନିରୋଧୀ ଅଭ୍ୟାସ କରାଯାଇଥିଲା।

ଏହି ସ୍ପେଶାଲ ଅପରେସନରେ ଏସଟିୟୁର ୧୫ରୁ ଅଧିକ ବରିଷ୍ଠ କମାଣ୍ଡୋ ସଦସ୍ୟ ସାମିଲ ଅଛନ୍ତି। ସମ୍ଭାବ୍ୟ ଅଘଟଣ ଓ ଅଗ୍ନିକାଣ୍ଡ ଭଳି ପରିସ୍ଥିତିର ସଫଳ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେମାନଙ୍କର ଅତ୍ୟାଧୁନିକ ଉପକରଣ ସହ ଏଥିରେ ଭାଗ ନେଇଛନ୍ତି। ଏହା ସହିତ ଓଡ଼୍ରାଫ୍ (ODRAF) ଟିମ୍ ମଧ୍ୟ ଏହି ମେଗା ମକ୍ ଡ୍ରିଲ୍‌ରେ ସାମିଲ ହୋଇ ନିଜର ପ୍ରସ୍ତୁତି ପରଖିଛି। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଏହି ସ୍ପେଶାଲ ଡ୍ରିଲ୍ କରାଯାଉଛି ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।