ଉମରିଆ: ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ ଗୁରୁବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୪୩ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଏବଂ ଟ୍ରକ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ଧକ୍କା ଯୋଗୁଁ ଗୋଟିଏ ପରିବାରର ଏକ ଶିଶୁ ଏବଂ ୩ ଜଣ ମହିଳାଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି।

ପୋଲିସ ସୂଚନା ଅନୁଯାୟୀ, କୋତୱାଲି ଥାନା ଅନ୍ତର୍ଗତ ସିଦ୍ଧ ବାବା ଅଞ୍ଚଳର ଭରୌଲା ଗାଁ ନିକଟରେ ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ପଡ଼ୋଶୀ ଅନୁପପୁର ଜିଲ୍ଲାର ଲୀଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ପରିବାର ସଦସ୍ୟମାନେ କାର୍ ଯୋଗେ ଚିତ୍ରକୂଟ ଯାଉଥିବା ବେଳେ ରାଜପଥରେ ଆଗରେ ଯାଉଥିବା ଏକ ଟ୍ରକ ପଛରେ କାର୍‌ଟି ନିୟନ୍ତ୍ରଣ ହରାଇ ମାଡ଼ ହୋଇଥିଲା। ଧକ୍କା ଏତେ ଜବରଦସ୍ତ ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ କୋତୱାଲି ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣେ ବ୍ୟକ୍ତିଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ ଗାଡ଼ି କାଟି ବାହାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ବାକି ୩ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା।

ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଆଲୋକ ଶର୍ମା କହିଛନ୍ତି ଯେ, ସମସ୍ତ ୫ ମୃତକ ଏକା ପରିବାରର। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାର୍‌ଟି ଅତ୍ୟଧିକ ବେଗରେ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି, ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଫେରାର ଥିବା ଟ୍ରକ ଚାଳକକୁ ଖୋଜାଖୋଜି କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।