ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଥିବା ଦୁର୍ଗମ ମାଲ୍ୟଗିରି ପାହାଡ଼ରେ ଟ୍ରେକିଂ କରୁଥିବା ବେଳେ ୩ ଜଣ ଯୁବକ ଫସି ରହିଥିବା ସୂଚନା ମିଳିଛି। ନିଖୋଜ ଯୁବକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ସହର ଅଞ୍ଚଳରୁ ୭ ଜଣ ଯୁବକଙ୍କ ଏକ ଗ୍ରୁପ୍ ବୁଧବାର ଦିନ ମାଲ୍ୟଗିରି ପାହାଡ଼କୁ ଟ୍ରେକିଂ ବା ପାହାଡ଼ ଚଢ଼ିବା ପାଇଁ ଆସିଥିଲେ।
ତେବେ ପାହାଡ଼ ଉପରୁ ୪ ଜଣ ଯୁବକ ସୁରକ୍ଷିତ ଭାବେ ଫେରି ଆସିଥିବା ବେଳେ ଅନ୍ୟ ୩ ଜଣ ଯୁବକ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ବାଟ ହୁଡ଼ି ନିଖୋଜ ହୋଇଯାଇଥିଲେ।ପାହାଡ଼ର ଦୁର୍ଗମ ପଥ ସାଙ୍ଗକୁ ପ୍ରତିକୂଳ ପାଗ ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହୋଇଥିଲା। ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ଯୁବକମାନଙ୍କୁ ଖୋଜିବା ଜାରି ରଖିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ନିଖୋଜ ଥିବା ତିନି ଯୁବକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ଏବଂ ପ୍ରାୟ ୭ କିଲୋମିଟର ଦୂରରେ ସେମାନଙ୍କର ଅବସ୍ଥିତି ଚିହ୍ନଟ କରାଯାଇଛି। ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇଥିବାରୁ ଖୁବ୍ଶୀଘ୍ର ସେମାନଙ୍କୁ ପାହାଡ଼ ଉପରୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସତର୍କ କରାଯାଇଛି।
ବିନା କୌଣସି ଗାଇଡ୍, ସଠିକ୍ ପ୍ରସ୍ତୁତି କିମ୍ବା ପୂର୍ବ ସୂଚନା ନଥାଇ ମାଲ୍ୟଗିରି ଭଳି ଦୁର୍ଗମ ଓ ବିପଜ୍ଜନକ ପାହାଡ଼ରେ ଟ୍ରେକିଂ ନକରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ବର୍ଷା ଦିନେ ପାହାଡ଼ିଆ ଅଞ୍ଚଳରେ ବାଟ ହଜିଯିବାର ଆଶଙ୍କା ଅଧିକ ଥାଏ, ତେଣୁ ସୁରକ୍ଷା ପ୍ରତି ସଜାଗ ରହିବା ନିତାନ୍ତ ଜରୁରୀ।




