ଭୁବନେଶ୍ୱର: ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରକାଶ ପାଇଥିବା ବ୍ୟାପକ ତ୍ରୁଟିକୁ ନେଇ ରାଜ୍ୟ ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ନେଇ ସମ୍ପୂର୍ଣ୍ଣ ଘଟଣାର ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)ର ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ତୁରନ୍ତ ଏଫଆଇଆର (FIR) ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପାଠ୍ୟପୁସ୍ତକ ମୁଦ୍ରଣ ଏବଂ ବିଷୟବସ୍ତୁ ଅନୁମୋଦନ ପ୍ରକ୍ରିୟାରେ ହୋଇଥିବା ଏହି ବଡ଼ ଧରଣର ଅବହେଳାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କମିଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଚଳିତ ଶିକ୍ଷା ବର୍ଷରେ ପ୍ରାୟ ୧,୬୦୦ରୁ ଅଧିକ ଗମ୍ଭୀର ଭୁଲ୍ ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଶିକ୍ଷକ, ଅଭିଭାବକ ଏବଂ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଘଟଣାକୁ ସରକାରଙ୍କୁ ବଦନାମ କରିବା ପାଇଁ ଏକ ‘ସଂଗଠିତ ଚକ୍ରାନ୍ତ’ ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକଟ କରିଥିଲେ।

ଏହି ମାମଲାରେ ସରକାର ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ SCERTର ପୂର୍ବତନ ନିର୍ଦ୍ଦେଶକ ଏବଂ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବିତ କରିସାରିଛନ୍ତି। ଏହା ବ୍ୟତୀତ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏବେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଭାର ନେବା ପରେ ଏହି ବଡ଼ ଅବହେଳା ପଛରେ ଥିବା ଅସଲ ଦୋଷୀ ଓ ପ୍ରିଣ୍ଟିଂ ଏଜେନ୍ସିଗୁଡ଼ିକର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି। ଭୁଲ୍ ଥିବା ବହିଗୁଡ଼ିକୁ ପ୍ରତ୍ୟାହାର କରି ପିଲାମାନଙ୍କୁ ଖୁବ୍‌ଶୀଘ୍ର ନୂଆ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି।