ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା-୨୦୨୬ ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏକ ବ୍ୟାପକ ‘ସାଇବର ସୁରକ୍ଷା ସଚେତନତା ଅଭିଯାନ’ ଆରମ୍ଭ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଶ୍ରଦ୍ଧାଳୁଙ୍କୁ ଅନ୍‌ଲାଇନ୍ ହୋଟେଲ ବୁକିଂ ସ୍କାମ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଠକେଇରୁ ସୁରକ୍ଷିତ ରଖିବା ଲାଗି ଶନିବାର ସନ୍ଧ୍ୟାରେ ପୁରୀରେ ଏକ ସ୍ୱତନ୍ତ୍ର ଗାଡ଼ି ‘ସାଇବର ରଥ’ର ଶୁଭାରମ୍ଭ କରାଯାଇଛି। ଏହି ସାଇବର ରଥ ସାରା ପୁରୀ ସହର ପରିକ୍ରମା କରି ଶ୍ରଦ୍ଧାଳୁ, ପର୍ଯ୍ୟଟକ, ହୋଟେଲ ମାଲିକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ସାଇବର ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ଏବଂ ସଚେତନତା ସାମଗ୍ରୀ ବଣ୍ଟନ କରିବ। ଏଥିସହିତ ଜାଲ୍ ହୋଟେଲ ବୁକିଂ ରୋକିବା ପାଇଁ ଶନିବାର ସନ୍ଧ୍ୟା ୬ଟାରେ ପୁରୀ ରିଜର୍ଭ ପୋଲିସ ଲାଇନଠାରେ ‘ପୁରୀ ହୋଟେଲ ମାଲିକ ସଂଘ’ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି।

ସାଇବର ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ କ୍ରାଇମବ୍ରାଞ୍ଚର ସୋସିଆଲ ମିଡିଆ ୟୁନିଟ୍ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରଥଯାତ୍ରା ନାଁରେ ଚାଲିଥିବା ୨୧୨ଟି ଜାଲ୍ ହୋଟେଲ ୱେବସାଇଟ୍ ଏବଂ ୨୬ଟି ଫେକ୍ ହୋଟେଲ ୱେବପେଜକୁ ଚିହ୍ନଟ କରାଯାଇ ବ୍ଲକ୍ କରାଯାଇଛି। କେବଳ ଜୁନ୍ ମାସରେ ହିଁ ୫୦ଟି ଜାଲ୍ ୱେବସାଇଟ୍ ବ୍ଲକ୍ କରାଯାଇଛି। ଏଭଳି ସ୍ଥିତିରେ କୌଣସି ଅଜଣା ଲିଙ୍କ୍ କିମ୍ବା ଅନଧିକୃତ ୱେବସାଇଟ୍‌ରୁ ବୁକିଂ ନକରି ସତର୍କ ରହିବାକୁ ଓଡ଼ିଶା ପୋଲିସ ଶ୍ରଦ୍ଧାଳୁମାନଙ୍କୁ ଅପିଲ୍ କରିଛି।