ଭୁବନେଶ୍ୱର: ପଶ୍ଚିମବଙ୍ଗ ଉପକୂଳରେ ‘ମା କାଳୀ’ ନାମକ ଏକ ମାଛଧରା ଟ୍ରଲର ବୁଡ଼ିଯିବା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ସାଙ୍ଘାତିକ ଦୁର୍ଘଟଣାରେ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ମଧ୍ୟ ୬ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ନିଖୋଜମାନଙ୍କ ମଧ୍ୟରୁ ୩ ଜଣ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ହୋଇଥିବାରୁ ନବୀନ ପଟ୍ଟନାୟକ ସେମାନଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏକ ବିବୃତିରେ ନବୀନ କହିଛନ୍ତି ଯେ, ବଙ୍ଗୋପସାଗରର କାକଦ୍ୱୀପ ନିକଟରେ ଘଟିଥିବା ଏହି ଦୁର୍ଘଟଣା ବିଷୟରେ ଜାଣି ସେ ସ୍ତବ୍ଧ ଏବଂ ମର୍ମାହତ। ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସେ ଲେଖିଛନ୍ତି, “ବଙ୍ଗୋପସାଗରର କାକଦ୍ୱୀପ ନିକଟ ସମୁଦ୍ରରେ ଅନେକ ମତ୍ସ୍ୟଜୀବୀ ନିଖୋଜ ହେବା ଏବଂ ପ୍ରାଣ ହରାଇବା ଖବର ମତେ ଗଭୀର ଆଘାତ ଦେଇଛି। ନିଖୋଜ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଜଣ ଓଡ଼ିଶାର ବୋଲି ଜାଣି ମୁଁ ଚିନ୍ତିତ। ଜୀବନ ହରାଇଥିବା ମତ୍ସ୍ୟଜୀବୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ନିଖୋଜ ଥିବା ଅନ୍ୟ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ମୋର ଗଭୀର ସମବେଦନା ଜଣାଉଛି।”

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ସମୁଦ୍ରରେ ନିଖୋଜ ଥିବା ଓଡ଼ିଶାର ୩ ମତ୍ସ୍ୟଜୀବୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗ୍ରାମର। ସେମାନଙ୍କ ପରିଚୟ ରବିନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଏବଂ ଜୟରାମ ମାଝୀ ଭାବେ ହୋଇଛି ଏବଂ ସେମାନେ ପରସ୍ପରର ସହୋଦର ଭାଇ। ମାଛ ମାରିବାକୁ ଯାଇ ଏହି ତିନି ଭାଇ ଏବେ ନିଖୋଜ ଥିବାରୁ ତାଙ୍କ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ କାନ୍ଦବୋବାଳି ସୃଷ୍ଟି ହୋଇଛି। ଏହି ଘଟଣା ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ସମୁଦାୟ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।