ଭୁବନେଶ୍ୱର: ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ୨୦୨୬ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁ ଓ ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି।ପୋଲିସ କମିଶନର ଡଃ ସୁରେଶ ଦେବ ଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୧୬ ତାରିଖରେ ରଥଯାତ୍ରା, ଜୁଲାଇ ୨୪ରେ ବାହୁଡ଼ା ଯାତ୍ରା ଏବଂ ଜୁଲାଇ ୨୫ରେ ସୁନାବେଶ ଅନୁଷ୍ଠିତ ହେବ। ଏହି ପର୍ବପର୍ବାଣୀ ସମୟରେ ଇସ୍କନ ମନ୍ଦିର ପରିସରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ, ୨୦୦୩ ଅଧୀନରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।

ଜୁଲାଇ ୧୬ ଏବଂ ୨୪ ତାରିଖ ଅପରାହ୍ନ ୩ଟାରୁ ରଥ ସିଆରପି (CRP) ସ୍କୋୟାର ଅତିକ୍ରମ ନକରିବା ପର୍ଯ୍ୟନ୍ତ ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା କୌଣସି ଭାରୀ ଯାନକୁ ଫାୟାର ଷ୍ଟେସନ ଛକ ଆଡ଼କୁ ସର୍ଭିସ୍ ରୋଡ୍‌ରେ ଯିବାକୁ ଅନୁମତି ଦିଆଯିବ ନାହିଁ। ଡିଏଭି ସ୍କୁଲ (ୟୁନିଟ-୮) ଠାରୁ ମାଉସୀମା ମନ୍ଦିର ଏବଂ ସିଆରପି ସ୍କୋୟାରର ଉଭୟ ପାର୍ଶ୍ୱରେ, ଏବଂ ସିଆରପି ସ୍କୋୟାରରୁ ଇସ୍କନ ମନ୍ଦିର ଆଡ଼କୁ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। କସ୍ତୁରବା ସ୍କୁଲ ପାର୍ଶ୍ୱ ଏବଂ ନୟାପଲ୍ଲୀ ଅଣ୍ଡରପାସ ପାର୍ଶ୍ୱରୁ ସିଆରପି ସ୍କୋୟାର ଆଡ଼କୁ ଆସୁଥିବା ସର୍ଭିସ୍ ରୋଡ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିବ।

ସୁନାବେଶ ଦିନ ଅର୍ଥାତ୍ ଜୁଲାଇ ୨୫ ତାରିଖ ସଞ୍ଜ ୫ଟାରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସିଆରପି (CRP) ସ୍କୋୟାରରୁ ଇସ୍କନ ମନ୍ଦିର ଆଡ଼କୁ କୌଣସି ଯାନବାହନ ଯାଇପାରିବ ନାହିଁ। କମିଶନରେଟ୍ ପୋଲିସ ସ୍ପଷ୍ଟ କରିଛି ଯେ ଏହି ସମସ୍ତ କଟକଣା ଜରୁରୀକାଳୀନ ଯାନ ଯେପରିକି ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ପୋଲିସ ଗାଡ଼ି ପାଇଁ ଲାଗୁ ହେବ ନାହିଁ। ପର୍ବପର୍ବାଣୀ ସମୟରେ ଟ୍ରାଫିକ୍ ଜାମ୍‌ରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତାଙ୍କୁ ବିକଳ୍ପ ରୁଟ୍ ବ୍ୟବହାର କରିବାକୁ ଏବଂ ଟ୍ରାଫିକ୍ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।