ପୁରୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ପୁରୀ ଏବେ ଜଗନ୍ନାଥମୟ ହୋଇଉଠିଛି। ରଥ, ପଥ ଓ ଭକ୍ତ ସମସ୍ତେ ମହାପ୍ରଭୁଙ୍କ ଲୀଳା ଦେଖିବା ପାଇଁ ପ୍ରସ୍ତୁତ। ଭକ୍ତଙ୍କ ଗହଳିରେ ବଡ଼ଦେଉଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଜନସମୁଦ୍ର ପରିଲକ୍ଷିତ ହେଉଛି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରାର ମୁଖ୍ୟ ଦିନ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଜାରି କରାଯାଇଛି।

ରଥଯାତ୍ରା ନୀତିନିର୍ଘଣ୍ଟ:

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଭୋରରୁ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ସକାଳ ଧୂପ ନୀତି ଶେଷ ହେବା ପରେ ମୁଖ୍ୟ ପର୍ବ ଆରମ୍ଭ ହେବ।

  • ପହଣ୍ଡି ବିଜେ: ସକାଳ ୯:୩୦ ମିନିଟ୍‌ରୁ ଆରମ୍ଭ ହୋଇ ଦିପହର ୧୨:୩୦ ମିନିଟ୍ ସୁଦ୍ଧା ସରିବ। ଏହି ସମୟରେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ଧାଡ଼ି ପହଣ୍ଡିରେ ଆସି ତିନି ଠାକୁର ରଥାରୂଢ଼ ହେବେ।
  • ଛେରାପହଁରା: ଅପରାହ୍ଣ ୨:୦୦ ରୁ ୩:୦୦ ମଧ୍ୟରେ ପୁରୀ ଗଜପତି ମହାରାଜା ତିନି ରଥରେ ସୁନା ଖଡ଼ିକାରେ ଛେରାପହଁରା ପାରମ୍ପରିକ ରୀତି ସମ୍ପନ୍ନ କରିବେ।
  • ରଥଟଣା: ଅପରାହ୍ଣ ୪:୦୦ ଟାରୁ ଶ୍ରଦ୍ଧାଳୁମାନେ ପରମ ଭକ୍ତିର ସହ ରଥ ଦଉଡ଼ି ଧରି ରଥଟଣା ଆରଭ କରିବେ।

ସିଂହଦ୍ୱାର ସମ୍ମୁଖରେ ତିନି ଭବ୍ୟ ରଥ:

ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନି ଦିବ୍ୟ ରଥ ସିଂହଦ୍ବାର ଅଭିମୁଖେ ବିଜେ କରିଛନ୍ତି। ପରମ୍ପରା ଅନୁଯାୟୀ, ପାଳିଆ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ତିନି ବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀର ପାରମ୍ପରିକ ଧ୍ୱନି ସହ ରଥଖଳାକୁ ଆସିଥିଲେ।

ନିୟମ ଅନୁସାରେ, ସର୍ବପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥକୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଏହାପରେ କ୍ରମାନ୍ୱୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥରେ ଆଜ୍ଞାମାଳ ଲାଗି କରାଯାଇଥିଲା। ଏହା ସରିବା ମାତ୍ରେ ତାଳଧ୍ୱଜ ରଥରେ ବିଜେ କାହାଳୀ ବାଜିଥିଲା ଏବଂ ପୁଲିସ କର୍ମଚାରୀ, ସେବାୟତ ଓ ଭକ୍ତଙ୍କ ମିଳିତ ସହାୟତାରେ ରଥଗୁଡ଼ିକୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି। ବର୍ତ୍ତମାନ ଚତୁର୍ଦ୍ଧାମୂର୍ତ୍ତି କେବେ ରଥ ଉପରକୁ ଆସି ଜନଜନକୁ ଦର୍ଶନ ଦେବେ, ସେହି ଅଲୌକିକ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି କୋଟି କୋଟି ଭକ୍ତ।