ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରର ଦାନ ପାଣ୍ଠି ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ମାମଲାକୁ ରାଜନୀତିକ ରଙ୍ଗ ନ ଦେବାକୁ ପକ୍ଷଗୁଡ଼ିକୁ ପରାମର୍ଶ ଦେଇ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ ଆପରାଧିକ ମାମଲା ଏବଂ ତଦନ୍ତକୁ ସଠିକ୍ ନିଷ୍କର୍ଷରେ ପହଞ୍ଚାଇବା ହିଁ ନ୍ୟାୟାଳୟର ପ୍ରାଥମିକ ଉଦ୍ଦେଶ୍ୟ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ ପାଇଁ ଧାର୍ଯ୍ୟ କରାଯାଇଛି।
ରାମମନ୍ଦିର ଦାନ ପାଣ୍ଠିର କଥିତ ଅନିୟମିତତା ଘଟଣାର କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ଏହି ମନ୍ତବ୍ୟ ଆସିଛି। ଆବେଦନରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ହିସାବର ସିବିଆଇ ତଦନ୍ତ, ଫରେନ୍ସିକ୍ ଅଡିଟ୍ ଏବଂ ନିୟନ୍ତ୍ରକ ଓ ମହାଲେଖା ନିରୀକ୍ଷକ (ସିଏଜି)ଙ୍କ ଦ୍ୱାରା ଅଡିଟ୍ କରିବାକୁ ଦାବି କରାଯାଇଛି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ କହିଥିଲେ, କୋର୍ଟ କୌଣସି ରାଜନୀତିକ ମଞ୍ଚ ନୁହେଁ। ତେଣୁ ମାମଲାକୁ ରାଜନୀତିକରଣ ନ କରି କେବଳ ଆଇନଗତ ଦୃଷ୍ଟିକୋଣରୁ ଉପସ୍ଥାପନ କରିବାକୁ ପକ୍ଷଗୁଡ଼ିକୁ କୁହାଯାଇଛି।
ଏସ୍ଆଇଟି ତଦନ୍ତକୁ ନେଇ କୋର୍ଟଙ୍କ ପ୍ରଶ୍ନ
ଶୁଣାଣି ସମୟରେ ସୁପ୍ରିମକୋର୍ଟ ପଚାରିଥିଲେ ଯେ, ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି)ର ପୁନର୍ଗଠନ ଆବଶ୍ୟକ କି ନୁହେଁ। ଏହାସହ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବା ପ୍ରସ୍ତାବ ଉପରେ ମଧ୍ୟ ବିଚାର କରିବାକୁ କହିଥିଲେ। ଏ ସମ୍ପର୍କରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ସରକାରଙ୍କ ମତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ତେବେ ସଲିସିଟର ଜେନେରାଲ୍ କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ, ଏସ୍ଆଇଟି ପୂର୍ବରୁ ଗଠନ ହୋଇସାରିଛି ଏବଂ ଉତ୍ତର ପ୍ରଦେଶ ପୁଲିସ ମାମଲାର ତଦନ୍ତ କରୁଛି। ଏସ୍ଆଇଟି ତଦନ୍ତର ଅଗ୍ରଗତି ସମ୍ପର୍କରେ ରାଜ୍ୟ ସରକାରଙ୍କ ରିପୋର୍ଟ ଆସିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ହେବ।
ଉଲ୍ଲେଖଯୋଗ୍ୟ, ଏସ୍ଆଇଟିର ଅନ୍ତରୀଣ ରିପୋର୍ଟ ପରେ ମାମଲା ରୁଜୁ କରାଯାଇଥିଲା ଏବଂ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାପରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।




