ଭୁବନେଶ୍ୱର: ୨୦୨୭ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଅକ୍ଟୋବରରୁ ସମଗ୍ର ରାଜ୍ୟରେ ଘରକୁ ଘର ସର୍ଭେ କରାଯିବ। ଏହାସହ ୨୦୨୭ ଫେବୃଆରି ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏନେଇ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶଙ୍କ ସମେତ ସମସ୍ତ ଜିଲ୍ଲାପାଳ, ପୌର ନିଗମ କମିଶନର, ଉପଜିଲ୍ଲାପାଳ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଆଗାମୀ ନିର୍ବାଚନ ପରିଚାଳନା ଓ ଭୋଟର ତାଲିକା ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍‌ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହା ସହ ପ୍ରତ୍ୟେକ ଘରକୁ କ୍ରମିକ ଘର ନମ୍ବର ପ୍ରଦାନ, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ କ୍ରମାନୁସାରେ ଅନ୍ତର୍ଭୁକ୍ତ କରିବା, ଅଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବା ଏବଂ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନସମ୍ମତ ପ୍ରକ୍ରିୟାରେ ସାମିଲ କରାଯିବ।

ସର୍ଭେ କାର୍ଯ୍ୟ ପାଇଁ ପ୍ରତ୍ୟେକ ଟିମ୍‌ରେ ସମ୍ପୃକ୍ତ ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ଟିମ୍ ଲିଡର ଭାବେ ନିଯୁକ୍ତ କରାଯିବ। ତାଙ୍କୁ ଦୁଇଜଣ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିବେ। ଆବଶ୍ୟକତା ଅନୁଯାୟୀ ଆଶା କର୍ମୀ, ଜଳ ସାଥୀ କିମ୍ବା ସ୍ୱଚ୍ଛ ସାଥୀଙ୍କୁ ମଧ୍ୟ ସର୍ଭେ ଟିମ୍‌ରେ ସାମିଲ କରାଯିବ। ବ୍ଲକ୍ ଓ ସହରାଞ୍ଚଳ ସ୍ତରରେ ସୁପରଭାଇଜର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମଗ୍ର ପ୍ରକ୍ରିୟାର ତଦାରଖ କରିବେ। ପ୍ରସ୍ତୁତିମୂଳକ କାର୍ଯ୍ୟ ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଭୋଟରଙ୍କ ସୁବିଧା ପାଇଁ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯଥାସମ୍ଭବ ଏକାଠି ଓ ଏକେ ବୁଥ୍‌ରେ ରହିବାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡ଼ା ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି ଆବେଦନ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ନେଇ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆୟୋଗଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୭ ଜାନୁଆରି ୧ରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବ ଏବଂ ୨୦୨୭ ଫେବୃଆରି ୧୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।