ଭୁବନେଶ୍ୱର: ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଓଡ଼ିଶାର ଏକାଧିକ ଜିଲ୍ଲା ପ୍ରଭାବିତ ହୋଇଛି। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟାର ପ୍ରଭାବ ଅଧିକ ରହିଛି। ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ସରକାର କହିଥିବାବେଳେ ଜରୁରୀ ସହାୟତା ପାଇଁ ୧୧୨ ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବନ୍ୟାର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼. ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ବିଭାଗର କମିଶନର-କମ୍-ସଚିବ ଅଶ୍ୱଥୀ ଏସ୍., ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ୍ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
୪୪ ବ୍ଲକ୍, ୨୪୩ ପଞ୍ଚାୟତ ଓ ୭୪୮ ଗ୍ରାମ ପ୍ରଭାବିତ
ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ, ବନ୍ୟାରେ ୪୪ଟି ବ୍ଲକ୍, ୨୪୩ଟି ଗ୍ରାମ ପଞ୍ଚାୟତ ଓ ୭୪୮ଟି ଗ୍ରାମ ପ୍ରଭାବିତ ହୋଇଛି। ବର୍ତ୍ତମାନ ୨୨୬ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ଏହାଛଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରିର କିଛି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରାୟ ୩୦ ହଜାର ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନ ଓ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ରିଲିଫ କେନ୍ଦ୍ରରେ ଖାଦ୍ୟ, ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା
ସମସ୍ତ ରିଲିଫ କେନ୍ଦ୍ରରେ ରନ୍ଧାଖାଦ୍ୟ, ପିଇବା ପାଣି ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶିଶୁ, ମହିଳା ଓ ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ମେଡିକାଲ ଟିମ୍ ନିୟୋଜନ କରାଯାଇଥିବାବେଳେ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ MBBS ଡାକ୍ତର ନିୟୋଜିତ ହୋଇଛନ୍ତି। ସାପ କାମୁଡ଼ା ଘଟଣାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଆଣ୍ଟି-ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ଓ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି।
ମହାନଦୀରେ ଜଳ ନିଷ୍କାସନ, ତଳମୁଣ୍ଡରେ ସତର୍କତା
ଛତିଶଗଡ଼ର ଉପର ଅବବାହିକାରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ଉଦ୍ବୃତ୍ତ ଜଳ ନିଷ୍କାସନ କରାଯିବ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ହୀରାକୁଦ ବନ୍ଧର ଦୁଇଟି ଗେଟ୍ ଖୋଲା ରହିଥିବାବେଳେ ଜଳଭଣ୍ଡାରର ସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି। ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ଅଧିକ ଜଳ ନିଷ୍କାସନ କରାଯିବ ବୋଲି କୁହାଯାଇଛି।
NDRF, ODRAF ଓ ଅଗ୍ନିଶମ ବାହିନୀ ସଜାଗ
ବନ୍ୟା ମୁକାବିଲା ପାଇଁ ୧୭ଟି NDRF ଟିମ୍, ODRAF ଟିମ୍ ଏବଂ ପ୍ରାୟ ୬୦ଟି ଅଗ୍ନିଶମ ସେବା ଟିମ୍ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ କ୍ଷେତ୍ରସ୍ତରରେ ପରିସ୍ଥିତି ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି।
ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ହେଲେ ସ୍କୁଲ ବନ୍ଦ ଘୋଷଣା କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। କ୍ଷତିଗ୍ରସ୍ତ ଘର ଓ ଚାଷଜମିର ଆକଳନ କାମ ଆରମ୍ଭ ହୋଇଥିବାବେଳେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଚାଲିଛି।
ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁରେ ଶୋକ
ଉଦ୍ଧାର କାର୍ଯ୍ୟ ସମୟରେ ବିଦ୍ୟୁତ୍ ସ୍ପର୍ଶରେ ଜଣେ ଅଗ୍ନିଶମ ସେବା କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସୁରେଶ ପୂଜାରୀ ଓ ବୈଠକରେ ଉପସ୍ଥିତ ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାର ପୁଣିଥରେ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ବନ୍ୟାଜନିତ କୌଣସି ଜରୁରୀ ପରିସ୍ଥିତିରେ ୧୧୨ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରନ୍ତୁ ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରନ୍ତୁ।




