ନୂଆଦିଲ୍ଲୀ: ୭୯ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଅଗଷ୍ଟ ୨ ତାରିଖରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଦିଲ୍ଲୀରେ ଡ୍ରୋନ୍, ପାରାଗ୍ଲାଇଡର୍ ଏବଂ ଅନ୍ୟାନ୍ୟ ଆକାଶମାର୍ଗୀୟ ଯାନ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।
ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ (BNSS), ୨୦୨୩ର ଧାରା ୧୬୩ ଅଧୀନରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବାକୁ ଥିବା ଏହି ଆଦେଶ ଅନୁଯାୟୀ, ଦେଶବିରୋଧୀ, ଅସାମାଜିକ କିମ୍ବା ଆତଙ୍କବାଦୀ ସଂଗଠନଗୁଡ଼ିକ ଆକାଶମାର୍ଗରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ଏହି ସମୟ ମଧ୍ୟରେ ଜାତୀୟ ରାଜଧାନୀ କ୍ଷେତ୍ର (NCT) ଦିଲ୍ଲୀରେ ଡ୍ରୋନ୍ (UAV/UAS), କ୍ୱାଡକପ୍ଟର, ପାରାଗ୍ଲାଇଡର୍, ପାରାମୋଟର, ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍ ଏବଂ ପାରା-ଜମ୍ପିଂ ଆଦି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି।
ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି କଟକଣା କିମ୍ବା ନିୟମକୁ ଅମାନ୍ୟ କଲେ ‘ଭାରତୀୟ ନାୟ ସଂହିତା’ (BNS), ୨୦୨୩ର ଧାରା ୨୨୩ ଅଧୀନରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୁଲାଇ ୩୧ରେ ଜାରି ହୋଇଥିବା ଏହି ଆଦେଶନାମା ଅଗଷ୍ଟ ୨ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲାଗୁ ରହିବ। ଲାଲକିଲ୍ଲା ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି।




