ସମ୍ବଲପୁର: ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଶନିବାର ସୁଦ୍ଧା ମୋଟ ୨୨ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଏହି ଗେଟ୍ଗୁଡ଼ିକ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି।
ତାଜା ତଥ୍ୟ ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ, ବର୍ତ୍ତମାନ ଜଳସ୍ତର ୬୨୫.୪୭ ଫୁଟରେ ପହଞ୍ଚିଛି ଏବଂ ଏହା କ୍ରମାଗତ ବୃଦ୍ଧି ପାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୧୫ ହଜାର ୦୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍ରୁ ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।
ଏହି ମୋଟ ନିଷ୍କାସିତ ଜଳ ମଧ୍ୟରୁ ସ୍ପିଲୱେ ବା ଗେଟ୍ ଗୁଡ଼ିକ ଦେଇ ସର୍ବାଧିକ ୩ ଲକ୍ଷ ୫୪ ହଜାର ୦୦୨ କ୍ୟୁସେକ୍ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି। ଏହା ବ୍ୟତୀତ ପାୱାର ଚ୍ୟାନେଲ ଦେଇ ୩୧,୭୫୯ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୪୭ କ୍ୟୁସେକ୍ ଏବଂ ବିଭିନ୍ନ କେନାଲ (ବରଗଡ଼, ଶାସନ ଓ ସମ୍ବଲପୁର କେନାଲ) ଦେଇ ୩,୫୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।
ମହାନଦୀର ଉପରମୁଣ୍ଡରୁ ପ୍ରଚୁର ପରିମାଣର ଜଳ ଆସୁଥିବାରୁ ଜଳଭଣ୍ଡାରର ଜଳସ୍ତରକୁ ସନ୍ତୁଳିତ ରଖିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଳମୁଣ୍ଡରେ ଥିବା ସମସ୍ତ ନିରୀକ୍ଷଣ କେନ୍ଦ୍ରଗୁଡ଼ିକରେ ଜଳପ୍ରବାହ ଉପରେ କଡ଼ା ନଜର ରଖାଯାଇଛି। ଉପରମୁଣ୍ଡର ବର୍ଷା ଏବଂ ପ୍ରତ୍ୟକ୍ଷ ଜଳପ୍ରବାହକୁ ଦୃଷ୍ଟିରେ ରଖି ଗେଟ୍ ସଂଖ୍ୟା କମ୍-ବେଶୀ କରାଯାଉଛି। ମହାନଦୀ ଓ ଏହାର ଶାଖା ନଦୀକୂଳିଆ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।




