ଭୁବନେଶ୍ୱର: ଭାରତୀୟ ହକି ଦଳର ପାରମ୍ପରିକ ନୀଳ ଜର୍ସିକୁ ବଦଳାଇ ‘ଗେରୁଆ’ (କେସରିଆ) କରାଯିବା ନିଷ୍ପତ୍ତିକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଗାମୀ ବିଶ୍ୱକପ୍ରେ ଭାରତୀୟ ଦଳ ଏହି ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବାକୁ ଥିବାବେଳେ, ଏହା ପଛରେ ହକି ଇଣ୍ଡିଆର ଗୁରୁତର ଅନ୍ତର୍ଦ୍ବନ୍ଦ୍ବ ଓ ଅଭିଯୋଗରୁ ଧ୍ୟାନ ହଟାଇବାର ଏକ ବଡ଼ ଚାଲ୍ ରହିଥିବା ପୂର୍ବତନ ଖେଳାଳିମାନେ ଅଭିଯୋଗ କରିଛନ୍ତି।
ହକି ଇଣ୍ଡିଆ ପକ୍ଷରୁ ଏହାକୁ ଖେଳାଳି ଓ କର୍ମକର୍ତ୍ତାଙ୍କ ‘ସାମୂହିକ ନିଷ୍ପତ୍ତି’ ବୋଲି କୁହାଯାଉଥିଲେ ହେଁ, ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ଏକ ସାମ୍ନାକୁ ଆସିଥିବା ଇ-ମେଲ୍ ଏହି ଦାବିକୁ ମିଥ୍ୟା ପ୍ରମାଣିତ କରିଛି। ମହାସଚିବ ଭୋଳାନାଥ ସିଂହଙ୍କୁ ପଠାଇଥିବା ଇମେଲ୍ରେ ଦିଲୀପ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ତାଙ୍କ ଅଜାଣତରେ ଏବଂ କାର୍ଯ୍ୟକାରିଣୀ ବୋର୍ଡ ଆଲୋଚନା ବିନା ନିଆଯାଇଛି। କେତେକ ସୂତ୍ରରୁ ଜଣାପଡ଼ିଛି ଯେ, ଖେଳାଳି ଓ ପ୍ରଶିକ୍ଷକଙ୍କୁ କେବଳ ନୂଆ ଜର୍ସି ଦେଖାଯାଇଥିଲା, ମାତ୍ର ସେମାନଙ୍କର ଆଭ୍ୟନ୍ତରୀଣ ଅସନ୍ତୋଷକୁ ଚାପି ଦିଆଯାଇଛି। ଧନରାଜ ପିଲ୍ଲେ ଓ ବୀରେନ ରସ୍କିତାଙ୍କ ଭଳି କିମ୍ବଦନ୍ତୀ ଖେଳାଳିମାନେ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।
ବିବାଦରୁ ଧ୍ୟାନ ହଟାଇବାକୁ ପ୍ରୟାସ?
ପୂର୍ବତନ ଖେଳାଳିଙ୍କ ଦାବି ଅନୁଯାୟୀ, ହକି ଇଣ୍ଡିଆ ଭିତରେ ଚାଲିଥିବା ଯୌନ ଶୋଷଣ ଓ ଧମକଚମକ ଅଭିଯୋଗରୁ ନଜର ହଟାଇବା ପାଇଁ ଜର୍ସି ରଙ୍ଗକୁ ବିବାଦ ଭିତରକୁ ଟଣାଯାଇଛି। ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଅସୁନ୍ତା ଲାକ୍ରା, ମହାସଚିବ ଭୋଳାନାଥ ସିଂହଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଓ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି। ସେହିପରି ପୂର୍ବତନ ପ୍ରଶିକ୍ଷକ ସୁଧୀର ଗୋଲ୍ଲାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି।
୨୦୨୩ କ୍ରିକେଟ୍ ବିଶ୍ୱକପ୍ ସମୟରେ ଭାରତୀୟ କ୍ରିକେଟ୍ ଦଳକୁ ଗେରୁଆ ଜର୍ସି ପିନ୍ଧିବାକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଖେଳାଳିମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାତ୍ର ହକିରେ ଖେଳାଳିମାନେ ଚାପରେ ଚୁପ୍ ରହିଥିବା କୁହାଯାଉଛି। ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ ‘ଓଡ଼ିଶା ସରକାର’ ଏହି ସମ୍ପୂର୍ଣ୍ଣ ଘଟଣାବଳୀକୁ ନେଇ ଅଣଅନୁଷ୍ଠାନିକ ଭାବେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ, ଆଗାମୀ ଦିନରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।




