ଜମ୍ମୁ: ଲଗାଣ ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ (ଏନ୍ଏଚ୍-୪୪) ଲଗାତାର ଦ୍ୱିତୀୟ ଦିନ ପାଇଁ ବନ୍ଦ ରହିଥିବାରୁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଫଳରେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଶ୍ରଦ୍ଧାଳୁଙ୍କ କୌଣସି ନୂଆ ଦଳକୁ କାଶ୍ମୀର ଉପତ୍ୟକା ଅଭିମୁଖେ ଛାଡ଼ାଯାଇନାହିଁ।
ପ୍ରଶାସନର ସୂଚନା ଅନୁସାରେ, ଜାତୀୟ ରାଜପଥର କ୍ଷତିଗ୍ରସ୍ତ ଅଂଶରେ ମରାମତି କାର୍ଯ୍ୟ ଚାଲିଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରାସ୍ତାର ସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ଥରେ ଯାତ୍ରା ଆରମ୍ଭ କରାଯିବ।
ଅନ୍ୟପଟେ, ଜମ୍ମୁରେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବା ପରେ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ପଞ୍ଜୀକରଣ ଏବଂ ଟୋକନ୍ ବଣ୍ଟନ କେନ୍ଦ୍ରକୁ ତାୱି ରିଭରଫ୍ରଣ୍ଟରୁ ଭଗବତୀ ନଗର ବେସ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ଚଳିତ ବର୍ଷ ଜୁଲାଇ ୩ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ ପ୍ରାୟ ୪.୫ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ବାବା ବରଫାନୀଙ୍କ ଦର୍ଶନ କରିସାରିଛନ୍ତି। ଚଳିତ ବର୍ଷର ଯାତ୍ରା ଅଗଷ୍ଟ ୨୮, ରକ୍ଷାବନ୍ଧନ ଦିନ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।
ଉଧମପୁର ଜିଲ୍ଲାର ଲାଧା-ସାମରୋଲି ଅଞ୍ଚଳରେ ଚାଲିଥିବା ମରାମତି କାର୍ଯ୍ୟ ସହ ବର୍ଷାଜନିତ କାଦୁଅ ଏବଂ ଭୂସ୍ଖଳନ ପରିସ୍ଥିତି ଯୋଗୁଁ କାଶ୍ମୀରକୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ଯୋଡ଼ୁଥିବା ପ୍ରାୟ ୨୫୦ କିଲୋମିଟର ଦୀର୍ଘ ଏନ୍ଏଚ୍-୪୪ରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ପାଣିପାଗ ସ୍ୱାଭାବିକ ହେବା ଏବଂ ଜାତୀୟ ରାଜପଥରେ ଯାତାୟାତ ସୁରକ୍ଷିତ ହେବା ପରେ ଅମରନାଥ ଯାତ୍ରା ପୁନର୍ବାର ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।




