ଭୁବନେଶ୍ୱର: ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବନ୍ୟା ପ୍ରଭାବିତଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ୟା ପାଣି ଛାଡ଼ିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି କୃଷି, ଘରଭଙ୍ଗା ଓ ଅନ୍ୟ କ୍ଷେତ୍ରରେ ସହାୟତା ପ୍ୟାକେଜ୍ ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୀକ୍ଷାରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୨ରୁ ଅଧିକ ବ୍ଲକ୍ର ବନ୍ୟା ପରିସ୍ଥିତି ଯାଞ୍ଚ କରାଯାଇଥିଲା।
ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନେକ ଗାଁ ଏବେବି ପାଣି ଘେରରେ ରହିଛି। ତେବେ ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ବନ୍ୟା ପାଣି କମିଯିବାର ସମ୍ଭାବନା ରହିଛି। ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନିରନ୍ତର ନଜର ରହିଥିବା ସହ ପୁରୀ ଜିଲ୍ଲାର ସ୍ଥିତି ଉପରେ ମଧ୍ୟ ସତର୍କ ନଜର ରଖାଯାଉଛି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବନ୍ୟାରେ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨.୬୯ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟକୁ ସାମ୍ନାରେ ରଖି ସମସ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଉଛି।
ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ୧୭ଟି ODRAF, ୭ଟି NDRF ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବା ଦଳ ନିୟୋଜିତ ଅଛନ୍ତି। ପ୍ରାୟ ୭୦୦ଟି ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କ ପାଇଁ ରହିବା, ରନ୍ଧା ଓ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପିଇବା ପାଣି ଏବଂ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରରେ ରହି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ପଲିଥିନ, ଶୁଖିଲା ଓ ରନ୍ଧା ଖାଦ୍ୟ, ପିଇବା ପାଣି ଏବଂ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଥିବା ବେଳେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ମଧ୍ୟ ପ୍ରଶାସନ ସତର୍କ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସରକାରଙ୍କ ସମୟୋପଯୋଗୀ ସୂଚନା, ପୂର୍ବ ପ୍ରସ୍ତୁତି ଓ ତ୍ୱରିତ ପଦକ୍ଷେପ ଯୋଗୁଁ ବନ୍ୟାଜନିତ ବଡ଼ ଧରଣର କ୍ଷୟକ୍ଷତିକୁ ରୋକିବା ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।




