ନୂଆଦିଲ୍ଲୀ: NEET-PG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ପରୀକ୍ଷାର୍ଥୀଙ୍କ ସୁବିଧା, ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ମାନସିକ ଚାପ କମାଇବା ପାଇଁ ପରୀକ୍ଷା ପରିଚାଳନା ନିୟମ ଓ ପ୍ୟାଟର୍ନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।
୧. ପସନ୍ଦର ପରୀକ୍ଷା କେନ୍ଦ୍ର ଓ ନୂଆ ନିୟମ
ପୂର୍ବରୁ ପ୍ରଚଳିତ ‘First Come, First Serve’ ନୀତିକୁ ଉଚ୍ଛେଦ କରାଯାଇଛି। ଏବେ ପରୀକ୍ଷାର୍ଥୀଙ୍କୁ ତିନୋଟି ପସନ୍ଦର ରାଜ୍ୟ ਚୟନ କରିବାକୁ ପଡ଼ିବ, ଯେଉଁଥିରେ ନିଜ ରାଜ୍ୟକୁ ପ୍ରାଥମିକତା ଦେବା ବାଧ୍ୟତାମୂଳକ। ଏହାଦ୍ୱାରା ନିଜ ବାସସ୍ଥାନ ନିକଟରେ କେନ୍ଦ୍ର ମିଳିବା ସହଜ ହେବ। ପରୀକ୍ଷାର ୩ ସପ୍ତାହ ପୂର୍ବରୁ ସହର ବିଷୟରେ ସୂଚନା ଦିଆଯିବ, ଯାହାଦ୍ୱାରା ଯାତ୍ରା ଓ ରହିବା ଯୋଜନା ପାଇଁ ଯଥେଷ୍ଟ ସମୟ ମିଳିପାରିବ।
୨. ବଦଳିଲା ପରୀକ୍ଷା ପ୍ୟାଟର୍ନ
ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (NBEMS) ଅନୁଯାୟୀ:
- ପ୍ରଶ୍ନ ସଂଖ୍ୟା: ୨୦୦ ବଦଳରେ ୧୮୦ଟି ବହୁବିକଳ୍ପ ପ୍ରଶ୍ନ (MCQ) ରହିବ।
- ସମୟ ସୀମା: ମୋଟ ୨୧୦ ମିନିଟ୍ ମିଳିବ, ଯାହାଫଳରେ ପ୍ରତି ପ୍ରଶ୍ନ ପାଇଁ ଅଧିକ ସମୟ ମିଳିବ।
- ଗୋଟିଏ ସିଫ୍ଟ: ଦୁଇଟି ସିଫ୍ଟ ବଦଳରେ ସମ୍ପୂର୍ଣ୍ଣ ପରୀକ୍ଷା କେବଳ ଗୋଟିଏ ସିଫ୍ଟରେ ହେବ, ଯାହା କଠିନତା ସ୍ତରକୁ ସମାନ ରଖିବ।
୩. କଡ଼ା ସୁରକ୍ଷା ଓ ବୈଷୟିକ ବ୍ୟବସ୍ଥା
ଜାଲିଆତି ରୋକିବା ପାଇଁ ଆଧାର ଭିତ୍ତିକ ଯାଞ୍ଚ, ଆଇରିସ୍ ବାୟୋମେଟ୍ରିକ, ସିସିଟିଭି ଏବଂ ସିଗ୍ନାଲ ଜ୍ୟାମର ବ୍ୟବହାର କରାଯିବ। ପ୍ରଶ୍ନପତ୍ର ସୁରକ୍ଷା ପାଇଁ ମଲ୍ଟି-ଲେୟାର ଏନକ୍ରିପ୍ସନ ଟେକ୍ନୋଲୋଜି ସହ ପ୍ରାୟ ୬୦ ହଜାର କର୍ମଚାରୀଙ୍କୁ ମୁତୟନ କରାଯିବ।
ଚଳିତ ବର୍ଷ ଅଗଷ୍ଟ ୩୦ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୨,୭୩,୧୮୩ ଜଣ ପଞ୍ଜୀକରଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ପ୍ରସ୍ତୁତିର ସମୀକ୍ଷା କରି ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।




