ଭୁବନେଶ୍ୱର: ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡ଼ିଶା ପୁଲିସର ୧୨ ଜଣ କ୍ରୀଡ଼ାବିତ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ବିଜୟୀ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କର ପରିଶ୍ରମ, ନିଷ୍ଠା ଓ କ୍ରୀଡ଼ା ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ। ରାଜ୍ୟ ପୁଲିସ ବାହିନୀର ସମ୍ମାନ ବଢ଼ାଇଥିବାରୁ ସେ ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ହାଇଦ୍ରାବାଦର ଗଚ୍ଛିବୋଉଲି ଇନଡୋର ଷ୍ଟାଡିୟମରେ ଆୟୋଜିତ ୧୧ତମ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର (୨୦୨୬-୨୭) ଏବଂ ଜୁଲାଇ ୮ରୁ ୧୧ ପର୍ଯ୍ୟନ୍ତ ପୁଣେରେ ଅନୁଷ୍ଠିତ ୫ମ ସିନିୟର ନ୍ୟାସନାଲ୍ ତାଇକୋଣ୍ଡୋ ପୁମସେ ଚାମ୍ପିଅନସିପ୍-୨୦୨୬ରେ ଓଡ଼ିଶା ପୁଲିସର ଉଷୁ, ତାଇକୋଣ୍ଡୋ, କରାଟେ ଓ ପେନକାକ ସିଲଟ୍ ଦଳ ଅଂଶଗ୍ରହଣ କରି ବିଭିନ୍ନ ବିଭାଗରେ ପଦକ ହାସଲ କରିଥିଲେ।

ସମ୍ବର୍ଦ୍ଧନା ଅବସରରେ ରୌପ୍ୟ ପଦକ ବିଜେତାଙ୍କୁ ୪ ହଜାର ଟଙ୍କା ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୩ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, କଟକ-ଭୁବନେଶ୍ୱର ପୁଲିସ କମିଶନର ଡ. ଦେବଦତ୍ତ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ପୁଲିସର କ୍ରୀଡ଼ା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପ୍ରମୁଖ ପଦକ ବିଜେତା

  • ସାଶ୍ୱତୀ ନାୟକ – ତାଇକୋଣ୍ଡୋରେ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟରରେ ରୌପ୍ୟ ଏବଂ ସିନିୟର ନ୍ୟାସନାଲରେ କାଂସ୍ୟ।
  • ସତ୍ୟପ୍ରକାଶ ମହାନ୍ତି – ଉଭୟ ପ୍ରତିଯୋଗିତାରେ କାଂସ୍ୟ ପଦକ।
  • କରାଟେରେ ବ୍ରତତୀ ବିଶ୍ୱପ୍ରଭା ପତି, ରଜନୀ ବିଶି, ଡି. ଭଗବାନ ରେଡ୍ଡୀ ଓ ରୀତେଶ ରାୟ ରୌପ୍ୟ ପଦକ ହାସଲ କରିଥିଲେ।
  • ଯୋଗେଶ ବରିହା ଏବଂ ବ୍ରତତୀ ବିଶ୍ୱପ୍ରଭା ପତି ବ୍ୟକ୍ତିଗତ କାଟା ଓ କୁମିତେ ବିଭାଗରେ କାଂସ୍ୟ ପଦକ ଜିତିଥିଲେ।
  • ମହିଳା ଦଳ କୁମିତେ ଓ କାଟା ବିଭାଗରେ ମଧ୍ୟ ଓଡ଼ିଶା ପୁଲିସ ଦଳ କାଂସ୍ୟ ପଦକ ଅର୍ଜନ କରିଥିଲା।