ନୂଆଦିଲ୍ଲୀ: ପଳାତକ ଅପରାଧୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଠୋର ଅଭିଯାନ ‘ଅପରେସନ ତ୍ରିଶୂଳ’ ବଡ଼ ସଫଳତା ହାସଲ କରିଛି। ୨୦୧୯ ମସିହାରୁ ଏପର୍ଯ୍ୟନ୍ତ ୩୬ଟି ଦେଶରୁ ମୋଟ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଭାରତକୁ ଫେରାଇ ଆଣାଯାଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପଳାତକ ଅପରାଧୀଙ୍କ ବିରୋଧରେ ଏକ ସମନ୍ୱିତ, ଗୁଇନ୍ଦା-ଭିତ୍ତିକ ଏବଂ ପ୍ରଯୁକ୍ତିନିର୍ଭର ବ୍ୟବସ୍ଥା ଗଢ଼ି ଉଠିଛି। ୨୦୧୮ରେ ପ୍ରଣୀତ ପଳାତକ ଆର୍ଥିକ ଅପରାଧୀ ଆଇନ ଏବଂ ପରବର୍ତ୍ତୀ ଆଇନଗତ ସଂଶୋଧନ ଏହି ପ୍ରକ୍ରିୟାକୁ ଆହୁରି ମଜବୁତ କରିଛି।

ଗୃହମନ୍ତ୍ରୀଙ୍କ କହିବା ଅନୁସାରେ, ୨୦୧୪ ପୂର୍ବରୁ ଭାରତର ପ୍ରତ୍ୟର୍ପଣ ବ୍ୟବସ୍ଥା ସୀମିତ ଥିଲା। ସେତେବେଳେ ମାତ୍ର ୩୭ଟି ଦେଶ ସହ ପ୍ରତ୍ୟର୍ପଣ ଚୁକ୍ତି ରହିଥିଲା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ପ୍ରତିବର୍ଷ ହାରାହାରି କେବଳ ୪ ଜଣ ପଳାତକଙ୍କୁ ଭାରତକୁ ଅଣାଯାଉଥିଲା। ସେହି ସମୟରେ ୧୧୦ଟି ପ୍ରତ୍ୟର୍ପଣ ଆବେଦନ ବିଚାରାଧୀନ ଥିଲା।

୨୦୨୪ରେ ଲାଗୁ ହୋଇଥିବା ନୂତନ ଅପରାଧିକ ଆଇନରେ ପଳାତକ ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ମଧ୍ୟ ବିଚାର ପ୍ରକ୍ରିୟା ଚାଲିବାର ବ୍ୟବସ୍ଥା କରାଯାଇଛି। ସେହିପରି ମନି ଲଣ୍ଡରିଂ ନିବାରଣ ଆଇନ (PMLA)କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରି ୨୦୧୯ରୁ ୨୦୨୬ ମଧ୍ୟରେ ପଳାତକ ଅପରାଧୀଙ୍କ ପ୍ରାୟ ୧୭,୮୭୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।

ପଳାତକଙ୍କ ସନ୍ଧାନ ଓ ଗିରଫ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସିବିଆଇ ଏକ ସ୍ୱତନ୍ତ୍ର ବିଶ୍ୱସ୍ତରୀୟ ପରିଚାଳନା କେନ୍ଦ୍ର ସ୍ଥାପନ କରିଛି। ଇଣ୍ଟରପୋଲ ଏବଂ ବିଭିନ୍ନ ଦେଶର ପୋଲିସ ଏଜେନ୍ସି ସହ ବାସ୍ତବ ସମୟରେ ସୂଚନା ବିନିମୟ କରାଯାଉଛି। ଏଥିସହ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରୀୟ ତଦନ୍ତ ସଂସ୍ଥାରେ ଇଣ୍ଟରପୋଲ ସମନ୍ୱୟ ଅଧିକାରୀ ନିଯୁକ୍ତ କରାଯାଇଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ୍ ଜାରି ସଂଖ୍ୟା ମଧ୍ୟ ଦ୍ରୁତ ହାରରେ ବଢ଼ିଛି। ୨୦୨୨ରେ ୪୦ଟି, ୨୦୨୩ରେ ୧୦୦ଟି, ୨୦୨୪ରେ ୧୦୭ଟି, ୨୦୨୫ରେ ୧୧୨ଟି ଏବଂ ୨୦୨୬ରେ ଏପର୍ଯ୍ୟନ୍ତ ୧୬୨ଟି ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଛି।

‘ଅପରେସନ ତ୍ରିଶୂଳ’ ଅଧୀନରେ ସାଟେଲାଇଟ୍ ସୂଚନା, ଡିଜିଟାଲ୍ ଫୁଟପ୍ରିଣ୍ଟ, ସର୍ଭେଲାନ୍ସ ଏବଂ ଉନ୍ନତ ପ୍ରୋଫାଇଲ୍ ମ୍ୟାପିଂ ପ୍ରଯୁକ୍ତି ବ୍ୟବହାର କରି ବିଦେଶରେ ନାମ ଓ ପରିଚୟ ପରିବର୍ତ୍ତନ କରି ଲୁଚି ରହିଥିବା ପଳାତକଙ୍କୁ ଚିହ୍ନଟ କରାଯାଇଛି। ଭିଡିଓ କନଫରେନ୍ସିଂ ସହ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଯୋଗୁଁ ପ୍ରତ୍ୟର୍ପଣ ପ୍ରକ୍ରିୟା ମଧ୍ୟ ଅଧିକ ତ୍ୱରିତ ହୋଇଛି।

ସରକାରୀ ସୂଚନା ଅନୁସାରେ, କେବଳ ଗତ ତିନି ବର୍ଷ ମଧ୍ୟରେ ୪୦୧ ଜଣ ପଳାତକ ଅପରାଧୀଙ୍କ ବିରୋଧରେ ଇଣ୍ଟରପୋଲ ମାଧ୍ୟମରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି।