ଭୁବନେଶ୍ୱର: ଏସିଆର ସର୍ବବୃହତ କ୍ଷାରୀୟ ହ୍ରଦ ଚିଲିକା, ମା’ କାଳୀଜାଈ ପୀଠ ଏବଂ ସାତପଡ଼ାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଚିନ୍ତନ ବୈଠକ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ବିକାଶ ରୂପରେଖା ଉପରେ ଆଲୋଚନା କରିଥିଲେ।

ବୈଠକରେ ଚିଲିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ସୃଷ୍ଟି, ଯାତାୟାତ ସୁବିଧାର ଉନ୍ନତି ଏବଂ ଆଖପାଖ ଅଞ୍ଚଳକୁ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ମା’ କାଳୀଜାଈ ପୀଠର ସର୍ବାଙ୍ଗୀନ ବିକାଶ ସହ ଚିଲିକାର ପରିବେଶ, ଜୈବବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷାକୁ ପ୍ରାଥମିକତା ଦେଇ ପରିବେଶ-ଅନୁକୂଳ ବିକାଶ ଯୋଜନା କାର୍ଯ୍ୟକରିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ମାଷ୍ଟର ପ୍ଲାନ୍ ଉପସ୍ଥାପନ କରାଯାଇଥିଲା। ପ୍ରସ୍ତାବ ଅନୁଯାୟୀ, ଉନ୍ନତ ରାସ୍ତାଘାଟ, ଆଧୁନିକ ଜେଟି, ବିଶାଳ ପାର୍କିଂ ବ୍ୟବସ୍ଥା, ବାର୍ଡ୍ସ ଭ୍ୟୁ ପଏଣ୍ଟ, ସାଇକେଲ ଟ୍ରାକ୍, ରୋଲର ସ୍କେଟିଂ ଜୋନ୍, ୱାଟର ସ୍ପୋର୍ଟସ, ବୋଟିଂ ଭଳି ଦୁଃସାହସିକ କ୍ରୀଡ଼ାର ସୁବିଧା ବିକଶିତ କରାଯିବ।

ଏହାଛଡ଼ା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଟ୍ରି-ହାଉସ୍, ଟ୍ରେକିଂ ୱେ, ଓପନ୍ ଫୁଡ୍ କୋର୍ଟ, ପିକନିକ୍ ଜୋନ୍ ଏବଂ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା କଳାକୃତି ସ୍ଥାପନ ଭଳି ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଛି।

ବୈଠକରେ ଗୋପାଳପୁରରୁ ବାହୁଦା ପର୍ଯ୍ୟନ୍ତ ଗ୍ରୀନ୍‌ଫିଲ୍ଡ ସଡ଼କ ନିର୍ମାଣ ଏବଂ ସେହି ମାର୍ଗ ସଂଲଗ୍ନ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଚିଲିକାକୁ ଆନ୍ତର୍ଜାତୀୟ ସ୍ତରର ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ସହ ସ୍ଥାନୀୟ ଅର୍ଥନୀତି ଓ ରୋଜଗାର ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।