ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ବାର୍ କାଉନ୍ସିଲ୍ରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବା ସହ ପୁରୁଷଙ୍କ ଏକଚାଟିଆ ପ୍ରଭାବକୁ ଶେଷ କରିବା ସମୟର ଆବଶ୍ୟକତା ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ରାଜ୍ୟ ବାର୍ କାଉନ୍ସିଲ୍ ନିର୍ବାଚନର ଅନିୟମିତତା, ଭୋଟ୍ ଗଣନା ପ୍ରଣାଳୀ ଏବଂ ମହିଳା ସଦସ୍ୟଙ୍କ ସହ-ମନୋନୟନ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି।
ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ, ଅନେକ ରାଜ୍ୟ ବାର୍ କାଉନ୍ସିଲ୍ ଧୀରେ ଧୀରେ ‘ପୁରୁଷଙ୍କ କ୍ଲବ୍’ରେ ପରିଣତ ହୋଇଯାଇଛି। କିଛି ବ୍ୟକ୍ତି ଏହାକୁ ନିଜସ୍ୱ ପ୍ରଭାବ କ୍ଷେତ୍ର ଭାବେ ପରିଚାଳନା କରୁଥିବାରୁ ଏହି ଏକାଧିକାରକୁ ଭାଙ୍ଗିବା ଅତ୍ୟାବଶ୍ୟକ ବୋଲି ସେ କହିଥିଲେ।
ସୁପ୍ରିମକୋର୍ଟ ପ୍ରତ୍ୟେକ ରାଜ୍ୟର ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ସମ୍ପୃକ୍ତ ରାଜ୍ୟ ବାର୍ କାଉନ୍ସିଲ୍ରେ ଦୁଇଜଣ ମହିଳା ସଦସ୍ୟଙ୍କୁ ସହ-ମନୋନୀତ କରିବା ପାଇଁ ନାମ ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତି ଏବଂ ଅନ୍ୟଜଣେ ବାର୍ରେ ସୁନାମ ଅର୍ଜନ କରିଥିବା ବରିଷ୍ଠ ମହିଳା ଆଇନଜୀବୀ ହେବା ଆବଶ୍ୟକ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଏହାସହ କୋର୍ଟ କହିଛନ୍ତି ଯେ, ବାର୍ କାଉନ୍ସିଲ୍ ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କୁ ମଧ୍ୟ ସହ-ମନୋନୀତ ସଦସ୍ୟ ଭାବେ ବିଚାର କରିବାରେ କୌଣସି ଆଇନଗତ ବାଧା ନାହିଁ।
ମାମଲାରେ ସ୍ଥାନାନ୍ତରଯୋଗ୍ୟ ଭୋଟ୍ (Transferable Vote) ଗଣନା ପ୍ରଣାଳୀ, ବିଶେଷକରି ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ସମ୍ପର୍କିତ ପ୍ରସଙ୍ଗକୁ ନ୍ୟାୟମୂର୍ତ୍ତି ସୁଧାଂଶୁ ଧୂଲିଆଙ୍କ ନେତୃତ୍ୱାଧୀନ ଉଚ୍ଚକ୍ଷମତାସମ୍ପନ୍ନ ତଦାରଖ କମିଟିଙ୍କ ନିକଟକୁ ପୁନର୍ବିଚାର ପାଇଁ ପଠାଯାଇଛି।
କମିଟିକୁ ବାର୍ ସଦସ୍ୟମାନଙ୍କ ମତାମତ ଗ୍ରହଣ, ମୌଖିକ ଶୁଣାଣିର ସୁଯୋଗ ପ୍ରଦାନ ଏବଂ ଏହା ପରେ ନିଜର ସୁପାରିସ ଚୂଡ଼ାନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଏବଂ ରାଜ୍ୟ ବାର୍ କାଉନ୍ସିଲ୍ ନିର୍ବାଚନର ତଦାରଖ ଓ ନିର୍ବାଚନୀ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ଏହି କମିଟି ଗଠନ କରିଥିଲେ।




