ଭୁବନେଶ୍ୱର: ସଡ଼କ ଯାତ୍ରାକୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ଆରାମଦାୟକ କରିବା ପାଇଁ ଓଡ଼ିଶା ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟର ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍‌ୱେ ଏବଂ ଜିଲ୍ଲା ମୁଖ୍ୟ ସଡ଼କରେ ପ୍ରତି ୫୦ କିଲୋମିଟର ଅନ୍ତରରେ ‘ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର’ (ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ର) ସ୍ଥାପନ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ଏହି ପ୍ରସଙ୍ଗରେ ଗୁରୁବାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦୀର୍ଘ ଦୂରତା ଯାତ୍ରା କରୁଥିବା ଟ୍ରକ୍ ଚାଳକ, ବସ୍‌ ଯାତ୍ରୀ ଓ ବ୍ୟକ୍ତିଗତ ଯାନ ଚାଳକଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରସ୍ତାବିତ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟରରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଇଭି ଚାର୍ଜିଂ ଷ୍ଟେସନ୍‌, ପେଟ୍ରୋଲ ପମ୍ପ, ଫୁଡ୍ କୋର୍ଟ, ବିଶ୍ରାମ ଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ରହିବ। ଏହି କେନ୍ଦ୍ରଗୁଡ଼ିକ ଦୀର୍ଘ ଯାତ୍ରା ସମୟରେ ଚାଳକ ଓ ଯାତ୍ରୀଙ୍କ ପାଇଁ ବିଶ୍ରାମ ସହ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବ।

ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ତୈଳ କମ୍ପାନୀ ସହ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିବାକୁ ଯୋଜନା କରିଛନ୍ତି। ଏହା ଅନୁସାରେ ରାଜ୍ୟ ସରକାର ଆବଶ୍ୟକ ଜମି ଉପଲବ୍ଧ କରାଇବେ, ଯେତେବେଳେ ତୈଳ କମ୍ପାନୀଗୁଡ଼ିକ ଏହି ସୁବିଧା କେନ୍ଦ୍ରର ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ।

ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପରିବହନ କମିଶନର ଅମିତାଭ ଠାକୁର, ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସମୀର ହୋତା, ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀ ପ୍ରଦୀପ ଲାଲ, ମୁଖ୍ୟଯନ୍ତ୍ରୀ (ଏନ୍‌ଏଚ୍‌) ନାରାୟଣ ପଟେଲଙ୍କ ସମେତ ପୂର୍ତ୍ତ, ପର୍ଯ୍ୟଟନ ବିଭାଗ ଓ ଏଚ୍‌ପିସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସଡ଼କ ଯାତ୍ରା ଅଧିକ ସୁବିଧାଜନକ ହେବା ସହ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।