ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରସ୍ତାବିତ ଗୁଗୁଲର ବିଶାଳ ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ବିବାଦ ଜୋର ଧରିଛି। ପରିବେଶ ସୁରକ୍ଷା ସଂଗଠନ ଓ ସ୍ଥାନୀୟ କର୍ମୀମାନେ ପ୍ରକଳ୍ପ ବିରୋଧରେ ରାଲି କରି ପରିବେଶ ଏବଂ ଜଳସମ୍ପଦ ଉପରେ ସମ୍ଭାବ୍ୟ ପ୍ରଭାବ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ପ୍ରତିବାଦକାରୀମାନେ “We Can’t Drink Data” ଲେଖାଥିବା ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିବା ସହ ଗୁଗୁଲ ଲୋଗୋ ଥିବା ପ୍ରତୀକାତ୍ମକ ହାତକଡ଼ି ପିନ୍ଧି ପ୍ରକଳ୍ପ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କ ଅଭିଯୋଗ ହେଉଛି, ଏହି ପ୍ରକଳ୍ପ ଯୋଗୁଁ ଭୂତଳ ଜଳସ୍ତର, ସ୍ଥାନୀୟ ପରିବେଶ ଏବଂ ଜୈବବିବିଧତା ପ୍ରଭାବିତ ହୋଇପାରେ। ‘ଗ୍ରିନ୍ ବିଶାଖା’ ସଂଗଠନର ପ୍ରତିଷ୍ଠାତା ରାଜା ରାମ ମୋହନ ରାୟ କହିଛନ୍ତି, ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ବଳି ଦେଇ କୌଣସି ବିକାଶକୁ ଗ୍ରହଣ କରାଯାଇପାରିବ ନାହିଁ।

ଏହି ପ୍ରସଙ୍ଗ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ମଧ୍ୟ ପହଞ୍ଚିଛି। ପରିବେଶ କର୍ମୀମାନଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲା ଉପରେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିବାଦ କରିବା ସମସ୍ତଙ୍କ ଅଧିକାର। ଅଭିଯୋଗରେ ଯଦି ଯୁକ୍ତିସଙ୍ଗତ ତଥ୍ୟ ଥାଏ, ତାହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ସରକାରଙ୍କ ମତରେ ପ୍ରକଳ୍ପ ବିରୋଧରେ ଉଠାଯାଇଥିବା ଅନେକ ଆପତ୍ତି ଭୁଲ ଓ ବିଭ୍ରାନ୍ତିକର।

ଗୁଗୁଲ ପକ୍ଷରୁ ଏହି ପ୍ରକଳ୍ପରେ ପ୍ରାୟ ୧୫ ବିଲିଅନ୍ ଡଲାର ନିବେଶ କରାଯାଉଛି, ଯାହା ଭାରତରେ କମ୍ପାନୀର ସବୁଠାରୁ ବଡ଼ ନିବେଶ ବୋଲି କୁହାଯାଉଛି। ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦିଆଯାଇଛି।

ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି ଯେ, ପ୍ରକଳ୍ପ ସ୍ଥଳଠାରୁ ପ୍ରାୟ ୮୬୦ ମିଟର ଦୂରରେ ଅବସ୍ଥିତ କମ୍ବଳକୋଣ୍ଡା ବନ୍ୟଜନ୍ତୁ ଅଭୟାରଣ୍ୟର ବନ୍ୟପ୍ରାଣୀ, ବିଶେଷକରି ଚିତାବାଘ ଓ ବଜ୍ରକାପ୍ତା, ବୃହତ୍ ନିର୍ମାଣ କାର୍ଯ୍ୟ ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ପ୍ରଭାବିତ ହୋଇପାରନ୍ତି। ଏହାର ଜବାବରେ ରାଜ୍ୟ ସରକାର କହିଛନ୍ତି ଯେ, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ।