ନୂଆଦିଲ୍ଲୀ: ୟୁପିଆଇ (UPI) ଓ ରୁପେ ଡେବିଟ୍ କାର୍ଡ ଜରିଆରେ ହେଉଥିବା ଡିଜିଟାଲ କାରବାରରେ ଭବିଷ୍ୟତରେ ଚାର୍ଜ ଲାଗିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ିଛି। ଲୋକସଭାରେ ଟିକସ ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍ ପାରିତ ହେବା ପରେ ଏହି ପ୍ରସଙ୍ଗ ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆସିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଏହି ବିଲ୍ ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ଲୋକସଭାରେ ପାରିତ ହୋଇଛି। ବିଲ୍‌ରେ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ରେ ମଧ୍ୟ ସଂଶୋଧନ ପ୍ରସ୍ତାବ ରହିଛି।

ବର୍ତ୍ତମାନ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ଜରିଆରେ ହେଉଥିବା ମର୍ଚ୍ଚାଣ୍ଟ ପେମେଣ୍ଟ ଉପରେ ଶୂନ (Zero) ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ବ୍ୟବସ୍ଥା ଲାଗୁ ରହିଛି। ଅର୍ଥାତ୍ ବ୍ୟାଙ୍କ କିମ୍ବା ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏଥିପାଇଁ କୌଣସି ଚାର୍ଜ ଆଦାୟ କରୁନାହାନ୍ତି।

ନୂଆ ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ କେଉଁ ପ୍ରକାରର ଇଲେକ୍ଟ୍ରୋନିକ୍ ପେମେଣ୍ଟ ଚାର୍ଜମୁକ୍ତ ରହିବ ଏବଂ କେଉଁ କ୍ଷେତ୍ରରେ ଶୁଳ୍କ ଲାଗୁ ହୋଇପାରିବ, ସେଥିପାଇଁ କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିବେ। ଏହି କାରଣରୁ ଭବିଷ୍ୟତରେ MDR ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ ବୋଲି ଆଲୋଚନା ଆରମ୍ଭ ହୋଇଛି।

ଏହି ବିଲ୍‌କୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ସଂଶୋଧନ ବିଲ୍ ୟୁପିଆଇ କାରବାରକୁ ଚାର୍ଜମୁକ୍ତ ରଖିବାର ବର୍ତ୍ତମାନର ବ୍ୟବସ୍ଥାକୁ ଦୁର୍ବଳ କରିବା ସହ ଭବିଷ୍ୟତରେ MDR ଲାଗୁ କରିବାର ବାଟ ଖୋଲିଦେଇଛି। ତାଙ୍କ ମତରେ ଏହା ଡିଜିଟାଲ ପେମେଣ୍ଟ ବ୍ୟବହାର କରୁଥିବା ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରିପାରେ।

ଅନ୍ୟପକ୍ଷରେ, ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ ତୁରନ୍ତ କୌଣସି ଚାର୍ଜ ଲାଗୁ କରାଯିବ ବୋଲି ଘୋଷଣା କରାଯାଇନାହିଁ। ଚାର୍ଜମୁକ୍ତ ରହିବାକୁ ଥିବା କାରବାରର ବିବରଣୀ ସରକାରଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପରେ ସ୍ପଷ୍ଟ ହେବ।