ବଲାଙ୍ଗୀର: ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ସ୍ଥିତ ପ୍ରସିଦ୍ଧ ହରିଶଙ୍କର ପୀଠରେ ଶ୍ରଦ୍ଧାଳୁ ଓ ବୋଲ୍ବମ୍ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। “ହର ହର ମହାଦେବ” ଏବଂ “ବୋଲ୍ବମ୍” ଧ୍ୱନିରେ ଗଞ୍ଜରିତ ହୋଇଉଠିଛି ସମଗ୍ର ଗନ୍ଧମାର୍ଦ୍ଦନ ପାଦଦେଶ।
ରବିବାର ସନ୍ଧ୍ୟାରୁ ହିଁ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ହଜାର ହଜାର କାଉଡ଼ିଆ ଓ ସାଧାରଣ ଶ୍ରଦ୍ଧାଳୁ ହରିଶଙ୍କର ପୀଠରେ ପହଞ୍ଚିଥିଲେ। ସୋମବାର ଭୋର୍ ସମୟରୁ ଭକ୍ତମାନେ ପ୍ରସିଦ୍ଧ ପାପନାଶିନୀ ଝରଣାରେ ପବିତ୍ର ସ୍ନାନ କରିବା ପରେ ନିଜ ନିଜ କାଉଡ଼ିରେ ଆଣିଥିବା ଜଳକୁ ପ୍ରଭୁ ଶ୍ରୀ ହରିଶଙ୍କରଙ୍କ ପୀଠରେ ମହାଦେବଙ୍କ ଲିଙ୍ଗରେ ଲାଗି କରିଥିଲେ। ଲମ୍ବା ଧାଡ଼ିରେ ଅପେକ୍ଷା କରି ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।
ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ, ସ୍ଥାନୀୟ ପୋଲିସ ଏବଂ ସେବାୟତଙ୍କ ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ପରିସରରେ ବ୍ୟାରିକେଡ଼ ନିର୍ମାଣ କରାଯିବା ସହ ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସେବାର ସୁବିଧା ଯୋଗାଇ ଦିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଶାନ୍ତିଶୃଙ୍ଖଳାର ସହ ଦେବଦର୍ଶନ ପ୍ରକ୍ରିୟା ଶେଷ ହୋଇଛି।




