ନୂଆଦିଲ୍ଲୀ: ସଂସଦର ଉଚ୍ଚସଦନ ରାଜ୍ୟସଭାରେ ବୁଧବାର ଜଣେ ମହିଳା ସାଂସଦଙ୍କ ବ୍ୟକ୍ତିଗତ ତଥା ସାଂସ୍କୃତିକ ଆକ୍ଷେପକୁ ନେଇ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ସିପିଆଇ(ଏମ୍) ସାଂସଦ ଜନ୍ ବ୍ରିଟାସ ତାଙ୍କୁ ଜଣେ ମହିଳା ସଦସ୍ୟା ‘ଲୁଙ୍ଗିୱାଲା’ କହି ଆକ୍ଷେପ କରିଥିବା ଅଭିଯୋଗ ଆଣିବା ପରେ ଶାସକ ଓ ବିରୋଧୀ ଦଳ ସାଂସଦଙ୍କ ମଧ୍ୟରେ କାଟାକାଟି ଦେଖିବାକୁ ମିଳିଥିଲା। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ଗୃହର ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ୍ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଶୂନ୍ୟକାଳରେ ସାଂସଦ ଜନ୍ ବ୍ରିଟାସ ଅଭିଯୋଗ କରିଥିଲେ ଯେ ଜଣେ ମହିଳା ସଦସ୍ୟା ତାଙ୍କ ବେଶଭୂଷାକୁ ନେଇ ‘ଲୁଙ୍ଗିୱାଲା’ ଶବ୍ଦ ବ୍ୟବହାର କରିଛନ୍ତି, ଯାହା ତାଙ୍କ ବ୍ୟକ୍ତିତ୍ୱ ଏବଂ ଦକ୍ଷିଣ ଭାରତୀୟ ସଂସ୍କୃତି ପ୍ରତି ଅପମାନ। ଏହାକୁ ନେଇ ଗୃହରେ ପ୍ରବଳ ପାଟିତୁଣ୍ଡ ସୃଷ୍ଟି ହୋଇଥିଲା।

ଏହି ବିବାଦ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଯେ ଗୃହରେ ସମସ୍ତ ସଦସ୍ୟ ସମାନ ଏବଂ ଆମେ ସମସ୍ତେ ଭାରତୀୟ। ସଦସ୍ୟମାନଙ୍କୁ ନିଜ ନିଜର ପକ୍ଷ ରଖିବାର ଅଧିକାର ରହିଛି। ଗୃହର ନେତା ଜେ.ପି. ନଡ୍ଡା କହିଥିଲେ ଯେ ଏହାକୁ ‘ଲୁଙ୍ଗି’ ନୁହେଁ ‘ଧୋତି’ କୁହାଯାଏ ଏବଂ ଅପରପକ୍ଷରେ ଥିବା ସାଂସଦ ସୁସ୍ମିତା ଦେବଙ୍କ ପକ୍ଷ ମଧ୍ୟ ରେକର୍ଡକୁ ଅଣାଯିବା ଉଚିତ।

ଗୃହର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ୍ କହିଥିଲେ, “ଆମ ସଂସ୍କୃତି ଅନନ୍ୟ। କାହାର ସଂସ୍କୃତି, ପରିଚୟ କିମ୍ବା ଧର୍ମ ପ୍ରତି ଅନାଦର ପ୍ରଦର୍ଶନ କରାଯିବା ଉଚିତ ନୁହେଁ। ମୁଁ ସମ୍ପୃକ୍ତ ସଦସ୍ୟାଙ୍କୁ ମୋ ଚାମ୍ବରକୁ ଡାକି ଏହି ବିଷୟର ସମାଧାନ କରିବି।” ମାତ୍ର ସାଂସଦମାନଙ୍କ ନିରବଚ୍ଛିନ୍ନ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରିନଥିଲା।

ହଙ୍ଗାମା ପୂର୍ବରୁ ସକାଳ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ମନ୍ତ୍ରଣାଳୟର ପ୍ରପୋଜାଲ୍ ଓ ଅଡିଟ୍ ରିପୋର୍ଟ ଆଗତ କରାଯାଇଥିଲା। ଗୃହରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରାଯାଇଥିଲା। ଅର୍ଥ ପୋର୍ଟଫୋଲିଓ ଦାୟିତ୍ୱରେ ଥିବା ମନ୍ତ୍ରୀ ପଙ୍କଜ ଚୌଧୁରୀ ‘ଗ୍ରୀନ୍ ଇଣ୍ଡିଆ ମିଶନ୍’, ‘ବିବାଦ ସେ ବିଶ୍ୱାସ’ ସ୍କିମ୍, FAME ଇଲେକ୍ଟ୍ରିକ୍ ଭେହିକିଲ ସ୍କିମ୍, ଭାରତନେଟ୍, GST ଏବଂ ରେଳବାଇ ଅର୍ଥ ସମ୍ପର୍କିତ ସିଏଜି ରିପୋର୍ଟ ଗୃହରେ ରଖିଥିଲେ। ଆଲାହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ୟଶୱନ୍ତ ବର୍ମାଙ୍କ ବିରୋଧରେ ବିଚାରପତି (ତଦନ୍ତ) ଅଧିନିୟମ, ୧୯୬୮ ଅଧୀନରେ ହୋଇଥିବା ତଦନ୍ତ କମିଟିର ରିପୋର୍ଟ ମହାନିର୍ଦ୍ଦେଶକ ଗୃହ ପଟ୍ଟଳରେ ରଖିଥିଲେ। ସଞ୍ଜୟ କୁମାର ଝା କୃତ୍ରିମ ବୁଦ୍ଧିମତ୍ତା (AI) ଯୁଗରେ ଭାରତର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସମ୍ପର୍କିତ ୩୯୩ତମ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଆଗତ କରିଥିଲେ।