ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ଚୟନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ରେ ଆଜି ଶୁଣାଣି ହୋଇପାରିନାହିଁ। ଆଜି ସୁପ୍ରିମକୋର୍ଟଙ୍କ କାର୍ଯ୍ୟସୂଚୀରେ ଏହି ମାମଲା ତାଲିକାଭୁକ୍ତ ହୋଇନଥିବା ଜଣାପଡ଼ିଛି। DGP ଚୟନ ପ୍ରକ୍ରିୟାରେ ଅନିୟମିତତା ନେଇ ଆଗତ ଜନସ୍ୱାର୍ଥ ମାମଲା ର ଶୁଣାଣି ପାଇଁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ନିବେଦନ କରିଛନ୍ତି।
ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ସରକାର DGP ନିଯୁକ୍ତି ପ୍ରକ୍ରିୟାରେ ୨୦୦୬ର ଚର୍ଚ୍ଚିତ ‘ପ୍ରକାଶ ସିଂହ ମାମଲା’ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି। ସିଲେକ୍ସନ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରାଯାଉଥିବା ନେଇ ଦାବି କରାଯାଇଛି।
ବିଶେଷ କରି ନୂଆ ପୋଲିସ ମୁଖିଆ ଚୟନ ପ୍ରକ୍ରିୟା ଚାଲିଥିବା ସମୟରେ ୧୯୯୪ ବ୍ୟାଚର ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ଡିଜି (DG) ରାଙ୍କକୁ ପଦୋନ୍ନତି ଦିଆଯିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି।
ଅନ୍ୟପଟେ, ଓଡ଼ିଶା DGP ଚୟନ ପାଇଁ ଆସନ୍ତାକାଲି ସଂଘ ଲୋକସେବା ଆୟୋଗ (UPSC) ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୩ ଜଣ ବରିଷ୍ଠ IPS ଅଫିସରଙ୍କ ନାମ ସୁପାରିଶ କରାଯିବ, ଯାହା ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ପୋଲିସ ଡିଜି ଭାବେ ନିଯୁକ୍ତ କରିବେ।
ଡିଜିପି ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଯାଇଥିବା ସାନି ତାଲିକାରେ ୪ ଜଣ ବରିଷ୍ଠ ଅଫିସରଙ୍କ ନାଁ ରହିଛି:
- ୧୯୯୦ ବ୍ୟାଚ୍ IPS: ସୁଧାଂଶୁ ଷଡ଼ଙ୍ଗୀ
- ୧୯୯୩ ବ୍ୟାଚ୍ IPS: ଆର.ପି. କୋଚେ
- ୧୯୯୪ ବ୍ୟାଚ୍ IPS: ସଞ୍ଜୀବ ପଣ୍ଡା
- ୧୯୯୪ ବ୍ୟାଚ୍ IPS: ଯଶୱନ୍ତ ଜେଠୱା
UPSC ବୈଠକ ପରେ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ ଏବଂ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି।




