ବେଙ୍ଗାଲୁରୁ: ପାକିସ୍ତାନ ସେନା ଏବଂ ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ଆତଙ୍କବାଦୀ ସଂଗଠନ ତେହେରିକ୍-ଇ-ତାଲିବାନ୍ ପାକିସ୍ତାନ (TTP) ସହ ସମ୍ପର୍କ ରଖିବା ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି।
ଅଟକ ଯୁବକଜଣକ ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ଜିଲ୍ଲାର ଆସାଫୁଲ ମଲ୍ଲିକ ବୋଲି ଚିହ୍ନଟ ହୋଇଛନ୍ତି। ସେ ବେଙ୍ଗାଲୁରୁର ଜିଗାନୀ ଅଞ୍ଚଳରେ ରହି ଟାଟା ଆଡଭାନ୍ସଡ୍ ଲିମିଟେଡରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ।
ପୋଲିସ ପାଟ୍ରୋଲିଂ ସମୟରେ ମିଳିଥିବା ଗୁପ୍ତ ସୂଚନା ଏବଂ ସନ୍ଦେହଜନକ ଅନଲାଇନ୍ କାର୍ଯ୍ୟକଳାପକୁ ନେଇ ପୋଲିସ ତାଙ୍କୁ କାବୁ କରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଥିଲା। ପଚରାଉଚୁରା ସମୟରେ ଆସାଫୁଲ କିଛି ବିସ୍ଫୋରକ ତଥ୍ୟ ଦେଇଛନ୍ତି ।
ଆଫଗାନିସ୍ତାନର ଇମ୍ରାନ୍ ହାଇଦର ନାମକ ଜଣେ ବ୍ୟକ୍ତି ସହ ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରି ସେ TTPରେ ଯୋଗଦେବା ପାଇଁ ଆଫଗାନିସ୍ତାନ ଭିସା ପାଇଁ ଆବେଦନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଅର୍ଥାଭାବ ଯୋଗୁଁ ସେ ଆଫଗାନିସ୍ତାନ ଯିବା ଯୋଜନାରୁ ଓହରି ଯାଇଥିବା କହିଛନ୍ତି।
ମୋବାଇଲରୁ ମିଳିଲା ସନ୍ଦିଗ୍ଧ ଚାଟ୍ ଓ ଅଡିଓ
ପୋଲିସ ଅଭିଯୁକ୍ତଙ୍କ ମୋବାଇଲରୁ ବହୁ ଗୁରୁତ୍ଵପୂର୍ଣ୍ଣ ଚାଟ୍, ଭଏସ୍ କଲ୍ ଏବଂ ଅଡିଓ ରେକର୍ଡିଂ ହସ୍ତଗତ କରିଛି। ପାକିସ୍ତାନ ସେନା ଦ୍ଵାରା ମୁସଲିମ୍ ଓ ମସଜିଦ୍ ଉପରେ ହେଉଥିବା ଆକ୍ରମଣ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦରେ ପାକିସ୍ତାନର ଆଭିମୁଖ୍ୟକୁ ନେଇ ସେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି।
ଏହି ଆତଙ୍କୀ ସଂଗଠନ ସହ ତାଙ୍କର ସମ୍ପର୍କ କେତେ ଗଭୀର ଏବଂ ଏହି ନେଟୱାର୍କରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଚଳାଇଛନ୍ତି।




