ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳଗୁଡ଼ିକରେ ପ୍ରକଳ୍ପ କାର୍ଯ୍ୟକାରିତାକୁ ଆହୁରି ଚଟପଟ୍, ସ୍ୱଚ୍ଛ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସହରାଞ୍ଚଳ ସ୍ଥାନୀୟ ନିକାୟ ଗୁଡ଼ିକର ଆର୍ଥିକ କ୍ଷମତାରେ ପ୍ରମୁଖ ସଂଶୋଧନ କରାଯାଇଛି। ଏହି ନୂତନ ନିୟମାବଳୀ ତୁରନ୍ତ ପ୍ରଭାବରୁ ଲାଗୁ ହୋଇଥିବା ବେଳେ ରାଜ୍ୟର ୭ଟି ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ କାର୍ଯ୍ୟକାରୀ ହେବ।
କାହାର କେତେ ବଢ଼ିଲା ଆର୍ଥିକ ଅଧିକାର?
ଫାଇଲ୍ ପ୍ରକ୍ରିୟାକରଣରେ ବିଳମ୍ବକୁ ଏଡ଼ାଇବା ଏବଂ ବିଲ୍ ଗୁଡ଼ିକର ଶୀଘ୍ର ମଞ୍ଜୁରୀ ପାଇଁ ଆର୍ଥିକ କ୍ଷମତାର ନୂତନ ବିକେନ୍ଦ୍ରୀକରଣ କରାଯାଇଛି:
- ମେୟର (Mayor): ମହାନଗର ନିଗମଗୁଡ଼ିକରେ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମସ୍ତ ବିଲ୍ ମଞ୍ଜୁର କରିବା ପାଇଁ ମେୟରଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି।
- ମ୍ୟୁନିସିପାଲ କମିଶନର (Municipal Commissioner): ମହାନଗର ନିଗମର କମିଶନରମାନେ ଏବେ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିଲ୍ ସାନସନ୍ କିମ୍ବା ମଞ୍ଜୁର କରିପାରିବେ।
- ନଗରପାଳ / ଚେୟାରମ୍ୟାନ୍ (Chairperson): ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କାର ବିଲ୍ ପେମେଣ୍ଟ ପୌରପାଳିକା ଓ ଏନ୍ଏସିର ଚେୟାରମ୍ୟାନ୍ମାନଙ୍କ ଦ୍ୱାରା ଅନୁମୋଦିତ ହେବ।
- ନିର୍ବାହୀ ଅଧିକାରୀ (Executive Officer): ପୌରପାଳିକା ଓ ଏନ୍ଏସିଗୁଡ଼ିକର ନିର୍ବାହୀ ଅଧିକାରୀମାନେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ପାସ୍ କରିବାକୁ ଅଧିକୃତ ହୋଇଛନ୍ତି।
ଚାଲୁ ରହିଥିବା ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକୁ ଆହୁରି ଦ୍ରୁତଗତିରେ ଶେଷ କରିବା ପାଇଁ ସ୍ମାର୍ଟ ସିଟିର ମ୍ୟାନେଜିଂ ଡାଇରେକ୍ଟର ମାନଙ୍କୁ ସମ୍ପୂର୍ଣ୍ଣ ଆର୍ଥିକ ଅଧିକାର ପ୍ରଦାନ କରାଯାଇଛି। ସେମାନେ କୌଣସି ଆର୍ଥିକ ସୀମା ବିନା ସମସ୍ତ ପ୍ରକାରର ବିଲ୍ ପେମେଣ୍ଟ ମଞ୍ଜୁର କରିପାରିବେ।
ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବୈପ୍ଳବିକ ନିଷ୍ପତ୍ତି ଦ୍ୱାରା ପ୍ରଶାସନିକ ପ୍ରକ୍ରିୟା ଅଧିକ ସରଳ ହେବ। ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ହେବ ନାହିଁ ଏବଂ ରାଜ୍ୟର ବର୍ଦ୍ଧିତ ସହରଗୁଡ଼ିକରେ ସହରୀ ଶାସନ ଆହୁରି ସୁଦୃଢ଼ ହୋଇପାରିବ।




