ନୂଆଦିଲ୍ଲୀ: ତେହେଲକା ପତ୍ରିକାର ପ୍ରାକ୍ତନ ସମ୍ପାଦକ ତରୁଣ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଅପରାଧିକ ଆବେଦନ ଉପରେ ଶୁଣାଣି ପୂର୍ବରୁ ଆତ୍ମସମର୍ପଣରୁ ଛାଡ଼ ପାଇଁ ତେଜପାଲ କରିଥିବା ଯାଚିକାକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜଷ୍ଟିସ୍ ଆଲୋକ ଆରାଧେଙ୍କ ନେତୃତ୍ୱାଧୀନ ପୀଠ ତେଜପାଲଙ୍କୁ ଆତ୍ମସମର୍ପଣ ପ୍ରମାଣପତ୍ର ଦାଖଲ କରିବାକୁ କହିଛନ୍ତି।ସେପ୍ଟେମ୍ବର ୨୨ ସୁଦ୍ଧା ଏହି ପ୍ରମାଣପତ୍ର ଦାଖଲ ହେଲେ, ସେହିଦିନ ତାଙ୍କ ଅପିଲ୍ର ଶୁଣାଣି କରାଯାଇପାରେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
୨୦୧୩ ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟ ତେଜପାଲଙ୍କୁ ନିର୍ଦ୍ଦୋଷରେ ଖଲାସ ଆଦେଶକୁ ରଦ୍ଦ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ।ଏହି ରାୟ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେଜପାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଅମନ ଲେଖୀ ଯୁକ୍ତି ଦର୍ଶାଇଥିଲେ ଯେ, ଅପିଲ୍ ଶୁଣାଣି ପୂର୍ବରୁ ଅଭିଯୁକ୍ତ ଜେଲ୍ ଯିବା କୌଣସି ଆଇନଗତ ବାଧ୍ୟତାମୂଳକ ନୁହେଁ।ବମ୍ବେ ହାଇକୋର୍ଟଙ୍କ ଅଗଷ୍ଟ ୬ ତାରିଖ ଆଦେଶ ଅନୁଯାୟୀ ତେଜପାଲଙ୍କୁ ଆତ୍ମସମର୍ପଣ ପାଇଁ ୪ ସପ୍ତାହ ସମୟ ମିଳିଥିଲା।ଏହି ମାମଲା ପ୍ରାୟ ୧୩ ବର୍ଷ ପୁରୁଣା ଏବଂ ତେଜପାଲଙ୍କ ବୟସ ଓ ସମାଜରେ ତାଙ୍କର ସ୍ଥିତିକୁ ବିଚାରକୁ ନେବାକୁ ସିବଲ ନିବେଦନ କରିଥିଲେ।“ମାତ୍ର ୫ ଦିନ ପାଇଁ ତାଙ୍କୁ ଜେଲ୍ ପଠାଇବାର କୌଣସି ଯୁକ୍ତି ନାହିଁ” ବୋଲି ସିବଲ ଦାବି କରିଥିଲେ।
ତେବେ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଅପରାଧର ସ୍ୱରୂପ ଏବଂ ହାଇକୋର୍ଟ ଦେଇଥିବା ଦଣ୍ଡାଦେଶକୁ ବିଚାରକୁ ନ ନେଇ ଏହି ଆବେଦନ ଉପରେ ଶୁଣାଣି ହୋଇପାରିବ ନାହିଁ।
ଗୋଆ ସରକାରଙ୍କ ପକ୍ଷରୁ ହାଜର ହୋଇ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ତେଜପାଲଙ୍କ ଯାଚିକାକୁ ଦୃଢ଼ ବିରୋଧ କରିଥିଲେ।ଅଭିଯୋଗର ଗୁରୁତ୍ୱ ଏବଂ ଗୁରୁତର ଦୁଷ୍କର୍ମ ମାମଲା ହୋଇଥିବାରୁ ଆତ୍ମସମର୍ପଣ ଜରୁରୀ ବୋଲି ସେ ଦର୍ଶାଇଥିଲେ।ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତେଜପାଲଙ୍କ ଆବେଦନକୁ ଖାରଜ କରି ୨ ସପ୍ତାହ ମଧ୍ୟରେ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ ଥିଲା ୨୦୧୩ ତେହେଲକା ମାମଲା?
୨୦୧୩ ନଭେମ୍ବରରେ ଗୋଆରେ ଅନୁଷ୍ଠିତ ‘ତେହେଲକା ଥିଙ୍କ୍’ (Tehelka THiNK) ଉତ୍ସବ ସମୟରେ ଏକ ହୋଟେଲ୍ ଲିଫ୍ଟ ଭିତରେ ତେଜପାଲ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
- ମେ ୨୦୨୧:ନିମ୍ନ ଅଦାଲତ ତେଜପାଲଙ୍କୁ ଖଲାସ କରିଥିଲେ।
- ଅଗଷ୍ଟ ୨୦୨୬:ବମ୍ବେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରି ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ ସହ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଥିଲେ।
ଅପରପକ୍ଷରେ ଗୋଆ ସରକାର ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ୧୦ ବର୍ଷର ସଜାକୁ ବୃଦ୍ଧି କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଦାବି କରିଛନ୍ତି।ତେବେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ତେଜପାଲଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ ପଡ଼ିବ।




