ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ ୭ ଦଫା ଦାବିକୁ ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।

ଆନ୍ଦୋଳନରତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜିଠାରେ ମାଣ ବସାଇ ନିଜର ଦାବି ଉପସ୍ଥାପନ କରିଥିଲେ। ଗୁରୁବାର ମାର୍ଗଶିର ମାସର ଗୁରୁବାର ବା ମାଣବସାର ପ୍ରଥମ ପାଳି ଅବସରରେ ଶହ ଶହ ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଧାରଣାସ୍ଥଳରେ ମାଣବସା ଶାଢ଼ି ପିନ୍ଧି ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଲକ୍ଷ୍ମୀଙ୍କୁ ଆରାଧନା କରିଥିଲେ। ଏହାସହ ସେମାନେ ସମୂହ ଲକ୍ଷ୍ମୀପୁରାଣ ପାଠ କରି ନିଜର ହକ୍ ଓ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ରଖାଯାଇଥିବା ୭ ଦଫା ଦାବି ମଧ୍ୟରେ ମାସିକ ଦରମା ବୃଦ୍ଧି, ଗ୍ରାଚୁଇଟି ପ୍ରଦାନ, ଅବସରକାଳୀନ ସୁବିଧା ଏବଂ କର୍ମୀ ଓ ସହାୟିକାମାନଙ୍କ ସ୍ୱାର୍ଥ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ଏହାସହ ବିଭିନ୍ନ ଆର୍ଥିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଛି। ତୃଣମୂଳ ସ୍ତରରେ ଶିଶୁ ଓ ମାତୃ କଲ୍ୟାଣ କାର୍ଯ୍ୟରେ ଅଙ୍ଗନବାଡି କର୍ମୀମାନେ ନିରନ୍ତର ସେବା ଯୋଗାଇ ଆସୁଥିବାରୁ ସେମାନଙ୍କ ଭବିଷ୍ୟତ ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଜରୁରୀ ବୋଲି ଆନ୍ଦୋଳନକାରୀମାନେ ମତ ଦେଇଛନ୍ତି।

ଲୋୟର ପିଏମ୍‌ଜିରେ ବ୍ୟାପକ ପ୍ରତିବାଦ ଏବଂ ପରମ୍ପରାଗତ ଢଙ୍ଗରେ ମାଣବସା ପୂଜା ମାଧ୍ୟମରେ ଦାବି ଉପସ୍ଥାପନ କରାଯିବା ପରେ ଏବେ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦାବିଗୁଡ଼ିକର ସମୀକ୍ଷା କରାଯାଉଥିବାରୁ ଖୁବ୍ ଶୀଘ୍ର ଏନେଇ କୌଣସି ସକାରାତ୍ମକ ନିଷ୍ପତ୍ତି ନିଆଯିବ ବୋଲି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଆଶାବାଦୀ ଅଛନ୍ତି।