ନୂଆଦିଲ୍ଲୀ: ଦେଶର GST ବ୍ୟବସ୍ଥାରେ ଡିସେମ୍ବର ୧, ୨୦୨୬ରୁ ଏକାଧିକ ପ୍ରକ୍ରିୟାଗତ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। GST ପଞ୍ଜୀକରଣ ବାତିଲ, ବ୍ୟବସାୟ ସମ୍ବନ୍ଧୀୟ ତଥ୍ୟ ସଂଶୋଧନ ଏବଂ ଟିକସ ରିଫଣ୍ଡ ଆବେଦନ ପ୍ରକ୍ରିୟାକୁ ଅଧିକ ସରଳ ଓ ଡିଜିଟାଲ୍‌ କରିବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ। ଯୋଗ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ ବାତିଲ ଆବେଦନ ଏଣିକି GST ପୋର୍ଟାଲ୍‌ ମାଧ୍ୟମରେ ସ୍ୱୟଂଚାଳିତ ଭାବେ ନିଷ୍ପତ୍ତି ହୋଇପାରିବ। ଏଥିସହ ରିଫଣ୍ଡ ପାଇଁ ନୂଆ ଫର୍ମ ଓ ଅତିରିକ୍ତ ବିବରଣୀ ଦାଖଲ ବ୍ୟବସ୍ଥା ମଧ୍ୟ ଆସୁଛି।

GST ପଞ୍ଜୀକରଣ ବାତିଲ ହେବ ସ୍ୱୟଂଚାଳିତ

ନୂଆ ନିୟମ ଅନୁସାରେ, GST ପଞ୍ଜୀକରଣ ବାତିଲ ପାଇଁ ଆବେଦନ କରିଥିବା ବ୍ୟବସାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଆବଶ୍ୟକ ରିଟର୍ଣ୍ଣ ଦାଖଲ କରିଥିଲେ ଏବଂ ବକେୟା ଟିକସ, ସୁଧ, ଫି’ ଓ ଜରିମାନା ପଇଠ କରିଥିଲେ, ତାଙ୍କ ପଞ୍ଜୀକରଣ GST ପୋର୍ଟାଲ୍‌ ମାଧ୍ୟମରେ ସ୍ୱୟଂଚାଳିତ ଭାବେ ବାତିଲ ହୋଇପାରିବ।

ଏଥିପାଇଁ ପ୍ରତ୍ୟେକ ଆବେଦନରେ ଟିକସ ଅଧିକାରୀଙ୍କ ନିୟମିତ ଯାଞ୍ଚ ଓ ଅନୁମୋଦନର ଆବଶ୍ୟକତା ରହିବ ନାହିଁ। ପଞ୍ଜୀକରଣ ବାତିଲ ହେବା ପରେ ବ୍ୟବସାୟୀଙ୍କୁ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ FORM GST REG-38ରେ ସୂଚନା ଦିଆଯିବ।

ତେବେ ଯଦି କୌଣସି ବ୍ୟବସାୟୀଙ୍କର ଆବଶ୍ୟକ ରିଟର୍ଣ୍ଣ ବାକି ରହିଥାଏ କିମ୍ବା ଟିକସ ଓ ଅନ୍ୟାନ୍ୟ ଦେୟ ପଇଠ ହୋଇନଥାଏ, ତେବେ ତାଙ୍କ ଆବେଦନ ସମ୍ପୃକ୍ତ ଟିକସ ଅଧିକାରୀଙ୍କ ଯାଞ୍ଚ ପାଇଁ ପଠାଯିବ। କମ୍ପୋଜିସନ୍‌ ସ୍କିମ୍‌ରେ ଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ ଆବଶ୍ୟକ FORM GST CMP-08 ଦାଖଲ ହୋଇଥିବା ମଧ୍ୟ ଜରୁରୀ।

ଛୋଟ ବ୍ୟବସାୟୀଙ୍କ ପାଇଁ ଠିକଣା ସଂଶୋଧନ ସହଜ

GST ପଞ୍ଜୀକରଣରେ ବ୍ୟବସାୟର ତଥ୍ୟ ସଂଶୋଧନ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆସିବ। ବ୍ୟବସାୟର ଆଇନଗତ ନାମ, ବ୍ୟବସାୟର ଗଠନ ଏବଂ ଅତିରିକ୍ତ ବ୍ୟବସାୟ ସ୍ଥାନ ସମ୍ପର୍କିତ କେତେକ ସଂଶୋଧନ ଏଣିକି ପୋର୍ଟାଲ୍‌ରେ ସ୍ୱୟଂଚାଳିତ ଭାବେ ଗ୍ରହଣ ହୋଇପାରିବ। ଏଥିପାଇଁ ପୂର୍ବଭଳି ପ୍ରତ୍ୟେକ କ୍ଷେତ୍ରରେ ଅଧିକାରୀଙ୍କ ଅନୁମୋଦନ ଆବଶ୍ୟକ ହେବ ନାହିଁ।

ବିଶେଷକରି CGST ନିୟମର Rule 14A ଅନୁସାରେ ସରଳୀକୃତ ପ୍ରକ୍ରିୟାରେ ପଞ୍ଜୀକୃତ ହୋଇଥିବା ବ୍ୟବସାୟୀଙ୍କ ପାଇଁ ମୁଖ୍ୟ ବ୍ୟବସାୟ ସ୍ଥାନ (Principal Place of Business)ର ଠିକଣା ସଂଶୋଧନ ମଧ୍ୟ ସ୍ୱୟଂଚାଳିତ ଭାବେ ହୋଇପାରିବ।

କିନ୍ତୁ Rule 14A ବ୍ୟତୀତ ଅନ୍ୟ ପ୍ରକ୍ରିୟାରେ ପଞ୍ଜୀକୃତ ବ୍ୟବସାୟୀଙ୍କ ମୁଖ୍ୟ ବ୍ୟବସାୟ ସ୍ଥାନର ଠିକଣା ପରିବର୍ତ୍ତନ ପାଇଁ ଟିକସ ଅଧିକାରୀଙ୍କ ଅନୁମୋଦନ ଆବଶ୍ୟକ ରହିବ।

ରିଫଣ୍ଡ ପାଇଁ ନୂଆ ଫର୍ମ GST RFD-01

ଡିସେମ୍ବର ୧ରୁ GST ରିଫଣ୍ଡ ଆବେଦନ ପାଇଁ ସଂଶୋଧିତ FORM GST RFD-01 ବ୍ୟବହାର କରିବାକୁ ପଡ଼ିବ। ନୂଆ ଫର୍ମରେ ଆବେଦନକାରୀଙ୍କୁ ଅଧିକ ସୁସଂଗଠିତ ତଥ୍ୟ ଓ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ହେବ। ଏଥିରେ ଦୁଇଟି ନୂଆ ରିଫଣ୍ଡ ବର୍ଗ ଯୋଡ଼ାଯାଇଛି।

ପ୍ରଥମଟି ହେଉଛି ମର୍ଚ୍ଚାଣ୍ଟ ଏକ୍ସପୋର୍ଟର୍‌ଙ୍କୁ କରାଯାଉଥିବା ଯୋଗାଣ ସମ୍ପର୍କିତ ନିର୍ଦ୍ଦିଷ୍ଟ ରିଫଣ୍ଡ ଦାବି। ଦ୍ୱିତୀୟଟି ହେଉଛି ସାମଗ୍ରୀ ରପ୍ତାନି ହେବା ପରେ ତାହାର ମୂଲ୍ୟ ବଢ଼ିଲେ ଅତିରିକ୍ତ ଭାବେ ପଇଠ କରାଯାଇଥିବା IGSTର ରିଫଣ୍ଡ।

ନୂଆ ଫର୍ମରେ ଇନଭଏସ୍‌, HSN/SAC କୋଡ୍‌, ଟିକସ ହାର ଏବଂ ଆବଶ୍ୟକ ଘୋଷଣା ସମ୍ପର୍କିତ ଅଧିକ ବିବରଣୀ ରହିବ। ଏହା ଫଳରେ ରିଫଣ୍ଡ ଆବେଦନର ଯାଞ୍ଚ ଓ ପ୍ରକ୍ରିୟାକରଣ ଅଧିକ ସ୍ୱଚ୍ଛ ହେବା ସହ ଅତିରିକ୍ତ କାଗଜପତ୍ର ମାଗିବାର ଆବଶ୍ୟକତା କମିପାରିବ।

ଡିସେମ୍ବର ୧ ପରେ ନୂଆ ଆବେଦନ ଦାଖଲ କରୁଥିବା ବ୍ୟବସାୟୀଙ୍କୁ ସଂଶୋଧିତ ଫର୍ମ ଓ ନିର୍ଦ୍ଦିଷ୍ଟ ନିୟମ ଅନୁସରଣ କରିବାକୁ ପଡ଼ିବ। ଯେଉଁ ଆବେଦନର Application Reference Number (ARN) ପୂର୍ବରୁ ସୃଷ୍ଟି ହୋଇସାରିଛି, ସେଗୁଡ଼ିକ ଏହି ପରିବର୍ତ୍ତନରେ ପ୍ରଭାବିତ ହେବ ନାହିଁ। କିନ୍ତୁ କେବଳ Draft ବା Saved Draft ଅବସ୍ଥାରେ ଥିବା ଆବେଦନକୁ ନୂଆ ଫର୍ମରେ ପୁଣି ଦାଖଲ କରିବାକୁ ପଡ଼ିପାରେ।

ନକଲି GST ପଞ୍ଜୀକରଣ ଉପରେ ଯାଞ୍ଚ ଜାରି ରହିବ

GST ପ୍ରକ୍ରିୟାକୁ ସ୍ୱୟଂଚାଳିତ କରାଯାଉଥିଲେ ମଧ୍ୟ ନକଲି ପଞ୍ଜୀକରଣ ଓ ଜାଲ୍‌ ଇନଭଏସ୍‌ ବିରୋଧରେ ଟିକସ ବିଭାଗର ଯାଞ୍ଚ କ୍ଷମତା ରହିବ। ଘୋଷିତ ବ୍ୟବସାୟ ସ୍ଥାନରେ କାର୍ଯ୍ୟ ନକରିବା କିମ୍ବା ପ୍ରକୃତ ସାମଗ୍ରୀ ଓ ସେବା ଯୋଗାଣ ବିନା ଇନଭଏସ୍‌ ଜାରି କରିବା ଭଳି ଘଟଣାରେ ଅଧିକାରୀ ପଞ୍ଜୀକରଣ ବାତିଲ ପ୍ରକ୍ରିୟା ଆରମ୍ଭ କରିପାରିବେ।

ତେଣୁ ବ୍ୟବସାୟୀମାନେ ନିଜର GST ରେକର୍ଡ, ଇନଭଏସ୍‌ ଓ ଠିକଣା ସମ୍ପର୍କିତ ତଥ୍ୟ ଠିକ୍‌ ରଖିବା ସହ ନିର୍ଦ୍ଧାରିତ ସମୟରେ ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ।