ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଦୁଇଟି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ ଏହି ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ବିପୁଳିଙ୍ଗି ଗ୍ରାମର ପଲସରା ସାହିର ଗୋପାଳ ଦାସ (୨୩), ଅରୁଣ ଦାସ (୨୧) ଓ ଦୀପୁ ଓରଫ ଦୀପୁନ ଦାସ (୧୯)। ସେମାନେ ସେହି ଗ୍ରାମର ପଦ୍ମପୁର ସାହିର ଶ୍ୟାମଘନ ଦାସଙ୍କୁ ଆକ୍ରମଣ କରିଥିବା ପୁଲିସ କହିଛି।
ବାତ୍ୟା ସମୟର ଫଟୋ ଉଠାକୁ ନେଇ ବିବାଦ
ପୁଲିସର ସୂଚନା ଅନୁସାରେ, ବାତ୍ୟା ସମୟରେ କ୍ଷୟକ୍ଷତିର ଫଟୋ ଉଠାଇବା, ଗାଡ଼ି ଚଳାଚଳ ଓ ଯାତାୟାତକୁ ନେଇ ଶ୍ୟାମଘନ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଥିଲା। ଏହି ବିବାଦକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗୁରୁବାର ରାତିରେ ବିପୁଳିଙ୍ଗି ଗ୍ରାମର ଶିବ ମନ୍ଦିର ନିକଟରେ ଶ୍ୟାମଘନଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଚାଷଜମିରେ ଫିଙ୍ଗି ଦିଆଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନାକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।
ଦୁଇଟି ମାରଣାସ୍ତ୍ର ଜବତ
ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଏକ ଲୁହା ପଞ୍ଚ୍ ବା ନକଲ୍ସ ଏବଂ ସାଇକେଲର ଏକ ଅଂଶରେ ତିଆରି ଅନ୍ୟ ଏକ ମାରଣାସ୍ତ୍ର ଜବତ କରିଛି। ଶ୍ୟାମଘନଙ୍କ ଭଉଣୀ ମମତା ଦାସ ଶୁକ୍ରବାର ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ଆଧାରରେ ଛତ୍ରପୁର ପୁଲିସ କେସ୍ ନମ୍ବର ୫୯୦/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍ଆଇ ସିଦ୍ଧାର୍ଥ ଶଙ୍କର ଜେନା ମାମଲାର ତଦନ୍ତ କରୁଥିଲେ। ଘଟଣାର ଅନ୍ୟାନ୍ୟ ଦିଗ ନେଇ ପୁଲିସର ତଦନ୍ତ ଜାରି ରହିଛି।




