ଭୁବନେଶ୍ୱର: ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଲ୍ କୁ ନେଇ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ରବିବାର ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଜନସଂଖ୍ୟା ବଦଳରେ ପ୍ରତିଶତ ଆଧାରରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି କରାଯାଏ, ତେବେ ଏଥିରେ ବିଜେଡିର କୌଣସି ଆପତ୍ତି ରହିବ ନାହିଁ। ତେବେ ଆସନ ଗଣନା ବେଳେ ଦଶମିକ ସଂଖ୍ୟାର ସମାନ ନୀତି ସମସ୍ତ ରାଜ୍ୟ ପାଇଁ ଲାଗୁ ହେବା ଜରୁରି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ପୂର୍ବରୁ ଜନସଂଖ୍ୟା ଆଧାରରେ ଆସନ ବୃଦ୍ଧି କରାଯିବା ପ୍ରସ୍ତାବକୁ ଆମେ ବିରୋଧ କରୁଥିଲୁ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି ଏବଂ ପ୍ରତିଶତ ଆଧାରରେ ଆସନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ମୋ ମତରେ ଏଥିରେ ଆମର କୌଣସି ଆପତ୍ତି ରହିବା ଉଚିତ୍ ନୁହେଁ।” ସୂଚନାଯୋଗ୍ୟ ଯେ, ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ଜନସଂଖ୍ୟା ଆଧାରିତ ସୀମା ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିଲା।
ଆସନ ସଂଖ୍ୟା ନିର୍ଦ୍ଧାରଣ ବେଳେ ‘ରାଉଣ୍ଡିଂ ଅଫ୍’ ବା ଦଶମିକ ସଂଖ୍ୟାର ହିସାବକୁ ନେଇ ଶ୍ରୀ ଆଚାର୍ଯ୍ୟ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ରାଜ୍ୟରେ ଆସନ ବୃଦ୍ଧି ଗଣନା ବେଳେ ୦.୫ (ଅଧା) ପାର୍ଥକ୍ୟ ରହେ, ତେବେ କ’ଣ ହେବ ତାହା ଏକ ମୌଳିକ ପ୍ରସଙ୍ଗ। ଆମେ ଯାହା ବୁଝିପାରୁଛୁ, କିଛି ରାଜ୍ୟରେ ୦.୫ ପାଇଁ ଗୋଟିଏ ଅତିରିକ୍ତ ଆସନ ଦିଆଯାଉଛି। ତେଣୁ ସେହି ସମାନ ନୀତି ଓଡ଼ିଶା କ୍ଷେତ୍ରରେ ମଧ୍ୟ ସମାନ ଭାବେ ଲାଗୁ ହେବା ଆବଶ୍ୟକ।
ପ୍ରସନ୍ନ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ରାଜ୍ୟ-ରାଜ୍ୟ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରାଯାଏ ଏବଂ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ନରହିବା ଭଳି ଅନୁଭବ ହୁଏ, ତେବେ ବିଜେଡି ନିଶ୍ଚିତ ଭାବେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବ। ବର୍ତ୍ତମାନ ଦଳ ପକ୍ଷରୁ ବିଲ୍ର ସମସ୍ତ ଦିଗ ଓ ବିନ୍ଦୁଗୁଡ଼ିକର ତର୍ଜମା କରାଯାଉଛି ଏବଂ ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।




