ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩୦ ତାରିଖ ସୋମବାର ଦିନ ଶ୍ରୀଜିଉମାନଙ୍କର ଗୁପ୍ତ ‘ପଇତା ଲାଗି’ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ଅପରାହ୍ଣ ସମୟରେ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ସାମୟିକ ଭାବେ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ରବିବାର ଏକ ସୂଚନା ଜାରି କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ୩୦ ନଭେମ୍ବର ୨୦୨୬, ସୋମବାର ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ‘ପଇତା ଲାଗି’ ନୀତି ସମ୍ପନ୍ନ ହେବ। ଏହି ଗୁପ୍ତ ସେବା ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅର୍ଥାତ୍ ଅପରାହ୍ଣ ପ୍ରାୟ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପଇତା ଲାଗି ନୀତି ସମାପ୍ତ ହେବା ପରେ ପୁନର୍ବାର ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ କରିପାରିବେ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ପଇତା ଲାଗି iହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ଏକ ଅତ୍ୟନ୍ତ ଗୋପନୀୟ ତଥା ବିଶେଷ ନୀତି। ଦଇତାପତି ସେବାୟତମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯାଇଥାଏ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗର ସୁରକ୍ଷା ତଥା ପାରମ୍ପରିକ ବିଧି ଅନୁଯାୟୀ ପାଟବସ୍ତ୍ର ବା ପଇତା ଲାଗି କରାଯାଉଥିବାରୁ ଏହି ସମୟରେ ଗର୍ଭଗୃହକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଥାଏ।

ଆସନ୍ତାକାଲି ପୁରୀ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୫ଟା ପୂର୍ବରୁ କିମ୍ବା ରାତି ୧୦ଟା ପରେ ଶ୍ରୀମନ୍ଦିରକୁ ଆସି ଦର୍ଶନ କରିବାକୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି।