ହାନୋଇ: ଭିଏତନାମର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଅତିକମରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ବୋଟ୍ରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ କ୍ରୁ ସଦସ୍ୟ ଥିବା ସୂଚନା ମିଳିଛି। ଘଟଣା ପରେ ବ୍ୟାପକ ଉଦ୍ଧାର ଅଭିଯାନ ଚାଲିଛି।
ପ୍ରାରମ୍ଭିକ ସୂଚନା ଅନୁସାରେ, ଶନିବାର ଅପରାହ୍ଣ ପ୍ରାୟ ୧ଟା ସମୟରେ ଓସେନ୍ ପିଅର୍ ଆଇଲ୍ୟାଣ୍ଡ୍ କମ୍ପାନୀ ପରିଚାଳିତ ସ୍ପିଡ୍ବୋଟ୍ଟି ପର୍ଯ୍ୟଟକମାନଙ୍କୁ ଆନ୍ ଥୋଇ ବନ୍ଦର ଅଭିମୁଖେ ନେଉଥିଲା। ଫୁ କ୍ୱୋକ୍ ବିମାନବନ୍ଦରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ହୋନ୍ ମେ ରୁଟ୍ ଏନ୍ଙ୍ଗୋଆଇ ନିକଟରେ ବୋଟ୍ଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବୋଟ୍ରେ ଥିବା ସମସ୍ତ ଯାତ୍ରୀ ସମୁଦ୍ରରେ ପଡ଼ିଯାଇଥିଲେ।
ଉଦ୍ଧାର କାର୍ଯ୍ୟରେ ବାଧା
ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ବୋଟ୍ଟି ଓଲଟି ଯାଇଥିବାରୁ କିଛି ଯାତ୍ରୀ ଏହା ତଳେ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କିଛି ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ନିଖୋଜ ଥିବା ଯାତ୍ରୀମାନଙ୍କ ସନ୍ଧାନ ପାଇଁ ନୌସେନା, କୋଷ୍ଟଗାର୍ଡ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ତଲାସି ଅଭିଯାନ ଜାରି ରଖିଛନ୍ତି।
ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ଭିଏତନାମ କର୍ତ୍ତୃପକ୍ଷ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିଚୟ ଏବଂ ନିଖୋଜ ଯାତ୍ରୀଙ୍କ ସ୍ଥିତି ସମ୍ପର୍କରେ ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଇଛି।




