ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ପୁଣି ଏକ ବଡ଼ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ବିଜେଡିରୁ ନିଲମ୍ବିତ ହୋଇଥିବା କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଶନିବାର ହଠାତ୍ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ପରେ ସେ ଖୁବ୍ଶୀଘ୍ର ପଦ୍ମ ଶିବିରରେ ସାମିଲ ହେବା ନେଇ ଚର୍ଚ୍ଚା ଓ କଳ୍ପନାଜଳ୍ପନା ତୀବ୍ର ହୋଇଛି।
ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କ ପୁତ୍ର ସୌଭିକ ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଅମାନ୍ୟ କରି ବିଜେପି ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ତେବେ ନିଜ ନିଷ୍ପତ୍ତିକୁ ସଫେଇ ଦେଇ ସୌଭିକ କହିଥିଲେ ଯେ, ବିଜେଡି ନେତାମାନେ ତାଙ୍କ ବାପାଙ୍କ ପ୍ରତି ଦେଖାଇଥିବା ‘ଅସମ୍ମାନ’ର ଜବାବରେ ସେ ଏଭଳି ପଦକ୍ଷେପ ନେଇଛନ୍ତି।
ସୌଭିକ ଏକ ବିସ୍ଫୋରକ ବୟାନରେ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ତାଙ୍କୁ ନବୀନ ନିବାସ ଡକାଯାଇଥିଲା। ସେ ସେଠାରେ ବାପାଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ ଆଲୋଚନା ହେବ ବୋଲି ଆଶା କରିଥିଲେ, କିନ୍ତୁ ତାଙ୍କୁ କେବଳ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବାପାଙ୍କ ଅପମାନ ସେ ସହ୍ୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।
ଗତ କିଛି ଦିନ ହେବ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସୌଭିକଙ୍କ ବିଜେପି କାର୍ଯ୍ୟାଳୟ ଗସ୍ତ ଏହି ସୂଚନାକୁ ଆହୁରି ଖୋରାକ ଯୋଗାଇଛି। ଯଦି ସୌଭିକ ବିଧିବଦ୍ଧ ଭାବେ ଶାସକ ଦଳରେ ଯୋଗ ଦିଅନ୍ତି, ତେବେ କଟକ-ଚୌଦ୍ୱାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।




