ଭୁବନେଶ୍ୱର: ଓଡ଼ିଆ ଭାଷା, ସଂସ୍କୃତି ଏବଂ ‘ଓଡ଼ିଆ ଅସ୍ମିତା’କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉପନିବେଶବାଦ ବା ବ୍ରିଟିଶ ଶାସନ କାଳରୁ ବିକୃତ ହୋଇ ରହିଥିବା ଓଡ଼ିଶାର ୬୪ଟି ସ୍ଥାନର ଇଂରାଜୀ ବନାନ କୁ ସରକାର ବଦଳାଇ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନୂତନ ନିୟମ ଅନୁସାରେ, ଓଡ଼ିଶାର ସିଲ୍‌ଭର୍ ସିଟି କଟକର ଇଂରାଜୀ ବନାନ ଏଣିକି ‘Cuttack’ ବଦଳରେ ‘Kataka‘ ଲେଖାଯିବ। ସେହିପରି ବାଲାସୋର୍ (Balasore) କୁ ‘Baleshwar‘ ଏବଂ ଇସ୍ପାତ ସହର ରାଉରକେଲା (Rourkela) କୁ ‘Raurkela‘ ବୋଲି ଲେଖାଯିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ୨୬ଟି ଜିଲ୍ଲାର ଜିଲ୍ଲା ସଦର ମହକୁମା, ସବ୍-ଡିଭିଜନ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ସଂସ୍ଥା ସମେତ ସମୁଦାୟ ୬୪ଟି ସ୍ଥାନର ଇଂରାଜୀ ସ୍ପେଲିଂରେ ସଂଶୋଧନ କରାଯାଇଛି।

କେତେକ ପ୍ରମୁଖ ସ୍ଥାନର ନୂଆ ଇଂରାଜୀ ବନାନ:

  • ଅନୁଗୁଳ – Anugola (Angul ବଦଳରେ)
  • ବରଗଡ଼ – Baragada (Bargarh ବଦଳରେ)
  • ବ୍ରହ୍ମପୁର – Brahmapur (Berhampur ବଦଳରେ)
  • ଖୋର୍ଦ୍ଧା – Khordha (Khurda ବଦଳରେ)
  • ନୟାଗଡ଼ – Nayagada (Nayagarh ବଦଳରେ)
  • ବଲାଙ୍ଗୀର – Balagir (Bolangir ବଦଳରେ)
  • ସୁନ୍ଦରଗଡ଼ – Sundaragada (Sundargarh ବଦଳରେ)

ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହାଦ୍ୱାରା କେବଳ ସ୍ଥାନଗୁଡ଼ିକର ଇଂରାଜୀ ବନାନ ବଦଳିଛି, ସେମାନଙ୍କର ପ୍ରକୃତ ଓଡ଼ିଆ ନାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଶିଷ୍ଟ ସାହିତ୍ୟିକ ପ୍ରତିଭା ରାୟଙ୍କ ନେତୃତ୍ୱରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଆଧାରରେ ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ।

ଏହି ନୂଆ ବନାନ ସରକାରୀ ନଥିପତ୍ର, ସାଇନବୋର୍ଡ, ଗେଜେଟ୍ ଏବଂ ସରକାରୀ ଯୋଗାଯୋଗରେ ବ୍ୟବହାର କରାଯିବ। ତେବେ ଏହାଦ୍ୱାରା ଜନସାଧାରଣଙ୍କ ପୁରୁଣା ସରକାରୀ ଦସ୍ତାବିଜ, ପ୍ରମାଣପତ୍ର କିମ୍ବା ଜମି ପଟ୍ଟା ଇତ୍ୟାଦି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ତାହା ପୂର୍ବପରି ବୈଧ ରହିବ ବୋଲି ପ୍ରଶାସନ ସୂଚନା ଦେଇଛି। ଭାଷାଗତ ଶୁଦ୍ଧତା ଓ ସଂସ୍କୃତିର ସୁରକ୍ଷା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।