ବାଲେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ‘ତୃତୀୟ ଶ୍ରୀକ୍ଷେତ୍ର’ ଭାବେ ପରିଚିତ ବାଲେଶ୍ୱର ଜିଲ୍ଲାର ନୀଳଗିରି ଜଗନ୍ନାଥ ମନ୍ଦିରର ଚଳିତ ବର୍ଷର ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ନୀଳଗିରି ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବଂ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରାର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ।

ରଥଯାତ୍ରା ସମୟରେ ପ୍ରବଳ ଜନଗହଳିର ସୁଯୋଗ ନେଇ ଅନେକ ସମୟରେ ଚୋରି ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାକୁ ରୋକିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଧୁନିକ ଜ୍ଞାନକୌଶଳ ଯୁକ୍ତ ଏଆଇ (Artificial Intelligence) କ୍ୟାମେରା ବ୍ୟବହାର କରାଯିବ। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏହି ସୁରକ୍ଷା ବ୍ୟବସ୍ଥା ପାଇଁ ନିଜସ୍ୱ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ଘୋଷଣା କରିଛନ୍ତି। ଏହି AI କ୍ୟାମେରା ଗହଳି ଭିତରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାରେ ପୁଲିସକୁ ବେଶ୍ ସହାୟକ ହେବ।

ବାଲେଶ୍ୱର ସହର ଏବଂ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ କିପରି ବିନା କୌଣସି ଅସୁବିଧାରେ ନୀଳଗିରି ଆସି ମହାପ୍ରଭୁଙ୍କ ରଥଯାତ୍ରା ଦେଖିପାରିବେ, ସେଥିପାଇଁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ରଥଯାତ୍ରା ସମୟରେ ବାଲେଶ୍ୱରରୁ ନୀଳଗିରିକୁ ସ୍ୱତନ୍ତ୍ର ଓଏସ୍‌ଆର୍‌ଟିସି ବସ୍ ଚଳାଚଳ କରିବ, ଯାହା ଶ୍ରଦ୍ଧାଳୁଙ୍କ ଗମନାଗମନକୁ ସହଜ କରିବ।

ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ମହାରଣା ପ୍ରକାଶ କରିଛନ୍ତି ଯେ, ଆସନ୍ତା ୧୦ ତାରିଖ ସୁଦ୍ଧା ଶ୍ରୀଜୀଉଙ୍କ ରଥର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହାସହିତ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ଖାଦ୍ୟ ସୁରକ୍ଷା, ବିଦ୍ୟୁତ ସେବା ଏବଂ ରଥ ଟଣା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତୃତୀୟ ଶ୍ରୀକ୍ଷେତ୍ରର ଏହି ଆଧ୍ୟାତ୍ମିକ ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି।