ଭୁବନେଶ୍ୱର: କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତୀକରଣ ସହ ରାଉରକେଲାର ହନୁମାନ ବାଟିକା ପୁନଃବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ସହ ନିର୍ମାଣରେ ଗୁଣବତ୍ତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଉଭୟ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା।
ଏସ୍ସିବିରେ ୪ କ୍ଲିନିକାଲ୍, ଗୋଟିଏ ଆବାସିକ ବ୍ଲକ୍
ଏସ୍ସିବି ମେଡିକାଲ ପରିସରରେ ୪ଟି ନୂତନ କ୍ଲିନିକାଲ୍ ବ୍ଲକ୍ ଓ ଗୋଟିଏ ଆବାସିକ ବ୍ଲକ୍ ନିର୍ମାଣ ଚାଲିଛି। ଆବାସିକ ବ୍ଲକ୍ର ନିର୍ମାଣ ପ୍ରାୟ ଶେଷ ହୋଇଥିବା ବେଳେ କ୍ଲିନିକାଲ୍ ବ୍ଲକ୍ଗୁଡ଼ିକର କାମ ୨୦୨୭ ଜୁନ୍ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି।
ଏହାବ୍ୟତୀତ ଆଉ ଏକ ମେଡିସିନ୍ ବ୍ଲକ୍ ନିର୍ମାଣ ପାଇଁ ଖୁବ୍ଶୀଘ୍ର ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ନିର୍ମାଣାଧୀନ ବହୁତଳ କାର୍ ପାର୍କିଂ (MLCP) ଓ ତାଳଦଣ୍ଡା କେନାଲ ସଂଯୋଜିତ ଟ୍ରାଫିକ୍ କରିଡର୍ କାର୍ଯ୍ୟକୁ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପାର୍କିଂ ବ୍ୟବସ୍ଥା ଦ୍ୱାରା ଏସ୍ସିବି ଓ ନିକଟସ୍ଥ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଯାତାୟାତ ସମସ୍ୟା କମିବ ବୋଲି ଆଶା କରାଯାଉଛି। ଏଥିସହ ବୋଷ ଇଞ୍ଜିନିୟରିଂ ସ୍କୁଲ, ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ୍ ଓ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ଅଞ୍ଚଳର ସମନ୍ୱିତ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ମଧ୍ୟ ପ୍ରକଳ୍ପରେ ସାମିଲ କରାଯାଇଛି।
ହନୁମାନ ବାଟିକାର ହେବ ପୁନଃବିକାଶ
ବୈଠକରେ ରାଉରକେଲାର ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନସ୍ଥଳୀ ହନୁମାନ ବାଟିକା ଓ ଏହାର ଆଖପାଖ ଅଞ୍ଚଳର ପୁନଃବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍ଷ୍ଟ୍ରକ୍ସନ୍ କର୍ପୋରେସନ୍ (OBCC) ପକ୍ଷରୁ ହାତକୁ ନିଆଯାଉଥିବା ନିର୍ମାଣ କାର୍ଯ୍ୟକୁ ବାଟିକାର ଆଧ୍ୟାତ୍ମିକ ପରିବେଶ ଓ ଭାବନାକୁ ଦୃଷ୍ଟିରେ ରଖି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବାଟିକା ପରିସରରେ ଚାଲିଥିବା ଏବଂ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସମେତ ବିଭିନ୍ନ ଆଧ୍ୟାତ୍ମିକ ସଂରଚନାର ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବାଟିକାର ପବିତ୍ରତା ଓ ପ୍ରାକୃତିକ ପରିବେଶକୁ ଅକ୍ଷୁଣ୍ଣ ରଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, OBCCର ପରିଚାଳନା ନିର୍ଦ୍ଦେଶକ, କଟକ ଜିଲ୍ଲାପାଳ ଓ କଟକ ମହାନଗର ନିଗମ କମିଶନର ଉପସ୍ଥିତ ଥିଲେ।




