ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଆସନ୍ତା ଅଗଷ୍ଟ ୨୮ ତାରିଖ ପବିତ୍ର ରକ୍ଷାବନ୍ଧନ (ରାଖୀ ପୂର୍ଣ୍ଣିମା) ଅବସରରେ ପ୍ରଦାନ କରାଯିବ । ଏହି କିସ୍ତିରେ ରାଜ୍ୟର ୧.୦୧ କୋଟିରୁ ଅଧିକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ମେଗା ଆବଣ୍ଟନ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରାଯାଇଛି ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ମୋଟ ୧,୧୫,୭୫,୬୩୩ ଜଣ ଆବେଦନକାରୀ ପଞ୍ଜୀକୃତ ହୋଇଛନ୍ତି । ଏଥିମଧ୍ୟରେ ଚଳିତ ଆର୍ଥିକ ବର୍ଷରେ ଆସିଥିବା ୩,୧୭,୯୬୬ଟି ନୂତନ ଆବେଦନ ମଧ୍ୟ ସାମିଲ ରହିଛି । ମୃତ ହିତାଧିକାରୀଙ୍କ ନାମ ବାଦ୍ ଦେବା ଏବଂ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ତାଲିକାରେ ୧,୦୧,୯୯,୧୧୯ ଜଣ ମହିଳା ସ୍ଥାନ ପାଇଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ସକ୍ରିୟତା, ବାୟୋମେଟ୍ରିକ e-KYC, କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ NPCI ଆକାଉଣ୍ଟ ମ୍ୟାପିଂ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ପଞ୍ଚମ କିସ୍ତି ଟଙ୍କା ଛଡ଼ାଯିବା ପୂର୍ବରୁ ବାକି ରହିଥିବା ୮୨,୦୩୬ଟି DBT ସକ୍ରିୟତା, ୨୮,୬୨୧ଟି ବାୟୋମେଟ୍ରିକ ମାମଲା ଏବଂ ୩.୫ ଲକ୍ଷରୁ ଅଧିକ କ୍ଷେତ୍ରସ୍ତରୀୟ ତଦନ୍ତ ପ୍ରକ୍ରିୟାକୁ ଯଥାଶୀଘ୍ର ଶେଷ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୁଭଦ୍ରା ଯୋଜନା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ଚାରୋଟି କିସ୍ତି ମାଧ୍ୟମରେ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୨,୦୬୪.୮୬ କୋଟି ଟଙ୍କା ସିଧାସଳଖ ପଠାଯାଇସାରିଛି । ଯୋଜନାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆସିଥିବା ୩,୫୭,୯୫୩ଟି ଅଭିଯୋଗ ମଧ୍ୟରୁ ୨,୬୮,୩୯୬ଟି ସମସ୍ୟାର ସମାଧାନ ସରକାରଙ୍କ ପକ୍ଷରୁ ସଫଳତାର ସହ କରାଯାଇଛି । ଏହି ଯୋଜନା ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।