ଭୁବନେଶ୍ୱର, ୨୭/୮: ଧାର୍ମିକ ଶାନ୍ତି ପାଇଁ ଲୋକେ ତୀର୍ଥଯାତ୍ରା କରୁଥିବା ବେଳେ ଏହା ଅନେକଙ୍କ ପାଇଁ ଶେଷ ଯାତ୍ରାରେ ପରିଣତ ହେଉଛି। ପାହାଡ଼ ଧସ, ସଡ଼କ ଦୁର୍ଘଟଣା ଓ ଦଳାଚକଟା ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ଜୀବନ ବିପଦରେ ପଡ଼ୁଛି।

ସଦ୍ୟତମ ଘଟଣା ହେଉଛି ଜମ୍ମୁ-କାଶ୍ମୀରର ମାତା ବୈଷ୍ଣୋ ଦେବୀ ତୀର୍ଥ ନିକଟରେ ହୋଇଥିବା ଭୂସ୍ଖଳନ। ମଙ୍ଗଳବାର ତ୍ରିକୂଟ ପାହାଡ଼ର ଅର୍ଦ୍ଧକୁମ୍ବାରୀରେ ଭୂସ୍ଖଳନ ହୋଇ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କିଛି ଭକ୍ତ ମାଟି ତଳେ ପୋତି ରହିଥିବା ଆଶଙ୍କା ରହିଛି। ଲଗାତାର ବର୍ଷା ଏହି ଦୁର୍ଘଟଣାର ପ୍ରମୁଖ କାରଣ ଥିବା କୁହାଯାଇଛି।

ଦୁଇଦିନ ତଳେ ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଭକ୍ତମାନଙ୍କୁ ନେଇଯାଉଥିବା ଟ୍ରାକ୍ଟରକୁ କଣ୍ଟେନର ଧକ୍କା ଦେବାରୁ ୮ ଜଣ ମୃତ୍ୟୁବରଣ କରିଥିଲେ ଓ ୫୦ରୁ ଅଧିକ ଆହତ ହୋଇଥିଲେ।

ତା’ପରେ ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ରେ ଶ୍ରଦ୍ଧାଳୁବହି ଯାଉଥିବା ବସ୍‌ ଟ୍ରକ୍‌ ସହିତ ଧକ୍କା ଖାଇ ୧୦ ଜଣ ଭକ୍ତଙ୍କର ଜୀବନ ଯାଇଥିଲା। ସେହିପରି ଅଗଷ୍ଟ ୧୧ରେ ୪୦ ମହିଳା ଭକ୍ତଙ୍କୁ ବହି ଯାଉଥିବା ପିକଅପ୍‌ ଭ୍ୟାନ ଓଲଟି ୭ ଜଣଙ୍କ ମୃତ୍ୟୁ କାରଣ ହୋଇଥିଲା।

ଜୁଲାଇରେ ଝାରଖଣ୍ଡର ଦେଓଘର ଜିଲ୍ଲାରେ ବସ୍‌ ଓ ଗ୍ୟାସ ସିଲିଣ୍ଡର ଟ୍ରକ୍‌ର ଧକ୍କାରେ ୧୮ ଜଣ ମୃତ୍ୟୁବରଣ କରିଥିଲେ।

ବର୍ଷର ଆରମ୍ଭରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦଳାଚକଟା ହୋଇ ୩୦ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହୋଇଥିଲା।

ଏକାଧିକ ଦୁର୍ଘଟଣା ପରେ ତୀର୍ଥଯାତ୍ରାରେ ଯାଇ ଫେରିବାକୁ ଭକ୍ତମାନେ ସନ୍ଦେହପ୍ରକାଶ କରୁଛନ୍ତି। ଅନେକ ପରିବାର ନିଜ ପିଲାଙ୍କୁ ତୀର୍ଥସ୍ଥାନକୁ ପଠାଇବାକୁ ଅସ୍ବୀକାର କରୁଛନ୍ତି।