ଦୈନନ୍ଦିନ ଖାଦ୍ୟ ତାଲିକାରେ ଅଧିକାଂଶ ଲୋକ କ୍ଷୀର ଓ ଦହିକୁ ସାମିଲ କରିଥାଆନ୍ତି। ସ୍ୱାସ୍ଥ୍ୟ ପାଇଁ ଦହି ବେଶ୍ ଉପକାରୀ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ, ନିୟମିତ ମଧ୍ୟାହ୍ନ ଭୋଜନ ବା ଖରାବେଳର ଖାଦ୍ୟରେ ଦହି ସେବନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଶରୀରକୁ ଆଭ୍ୟନ୍ତରୀଣ ଭାବେ ସୁସ୍ଥ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ପାଚନ ତନ୍ତ୍ର ଓ ପେଟ ସମସ୍ୟା ପାଇଁ ଲାଭଦାୟକ:
ଦହିରେ ଅନେକ ଉପକାରୀ ବ୍ୟାକ୍ଟେରିଆ (Probiotics) ସହିତ ବିଭିନ୍ନ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ଓ ସକ୍ରିୟ ରଖିବାରେ ସହାୟକ ହୋଇଥାଏ। ଏଥିସହ ଏହା ଖାଦ୍ୟ ନଳୀକୁ ମଧ୍ୟ ସୁସ୍ଥ ରଖେ। ଯେଉଁ ବ୍ୟକ୍ତିମାନଙ୍କର କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ୍, ଏସିଡିଟି ସମେତ ପେଟ ଜନିତ ବିଭିନ୍ନ ସମସ୍ୟା ରହିଛି, ସେମାନଙ୍କ ପାଇଁ ଦହି ସେବନ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
ଶକ୍ତି, ଶୀତଳତା ଓ ଓଜନ ନିୟନ୍ତ୍ରଣ:
ଦହିରେ ପ୍ରୋଟିନ୍, କ୍ୟାଲସିୟମ ଏବଂ ଭିଟାମିନ୍ ବି ଭଳି ଜରୁରୀ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଆବଶ୍ୟକ ଶକ୍ତି ପ୍ରଦାନ କରେ। ମଧ୍ୟାହ୍ନ ଭୋଜନ ସମୟରେ ଦହି ଖାଇବା ଦ୍ୱାରା ଶରୀରରେ ଶକ୍ତି ବଜାୟ ରହେ ଏବଂ ଦୈନିକ କାର୍ଯ୍ୟକଳାପ ଓ ବ୍ୟାୟାମ କରିବା ସହଜ ହୁଏ। ଦହି ସେବନ ଦ୍ୱାରା ଶରୀରର ଅତ୍ୟଧିକ ଉଷ୍ଣତା କମିଯାଏ ଏବଂ ଶରୀରକୁ ଶୀତଳତା ମିଳେ। ବିଶେଷ କରି ଖରାଦିନେ ଶରୀରରୁ ଅଧିକ ଝାଳ ବୋହିବା ଓ ଉତ୍ତାପ ଜନିତ ସମସ୍ୟାରୁ ଏହା ଆରାମ ଦିଏ। ଏହାଛଡ଼ା ନିୟମିତ ଦହି ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହୁଏ ଏବଂ ବାରମ୍ବାର ଖାଇବାର ଇଚ୍ଛା କମିଯାଏ। ଦହିରେ ଥିବା ପ୍ରୋଟିନ୍ ଭୋକକୁ ନିୟନ୍ତ୍ରଣ କରେ, ଫଳରେ ଓଜନ ନିୟନ୍ତ୍ରିତ ରଖିବାରେ ଏହା ସହାୟକ ହୁଏ।
ତ୍ୱଚା, ହାଡ଼ ଓ ଦାନ୍ତର ସୁରକ୍ଷା:
ଦହିରେ ଥିବା ପୋଷକ ତତ୍ତ୍ୱ ଓ ଉପକାରୀ ବ୍ୟାକ୍ଟେରିଆ ତ୍ୱଚାକୁ ସୁସ୍ଥ ରଖିବା ସହ ଏହାର ଉଜ୍ଜ୍ୱଳତା ଓ ଚମକ ବୃଦ୍ଧି କରିଥାଏ। ଏହା ତ୍ୱଚାରେ ହେଉଥିବା ବ୍ରଣ ସମସ୍ୟାକୁ କମାଇବାରେ ମଧ୍ୟ ସାହାଯ୍ୟ କରେ। ଅନ୍ୟପକ୍ଷରେ ଦହିରେ କ୍ୟାଲସିୟମ, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥିବାରୁ ଏହା ହାଡ଼ ଏବଂ ଦାନ୍ତକୁ ମଜଭୁତ ରଖେ। ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ ଦୈନନ୍ଦିନ ମଧ୍ୟାହ୍ନ ଭୋଜନରେ ଦହିକୁ ନିଶ୍ଚୟ ସାମିଲ କରିବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି।




