ନୂଆଦିଲ୍ଲୀ: ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଦିନକୁ ଦିନ ତିବ୍ର ହୋଇଯାଉଛି। ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ପହଞ୍ଚି, ଦିଲ୍ଲୀ ସହିତ ଆସପାସର ଅଞ୍ଚଳରେ ବିଶାଳ ସଙ୍କଟ ସୃଷ୍ଟି କରିଛି।
ମଙ୍ଗଳବାର ରାତିରେ ଯମୁନାର ଜଳସ୍ତର ୨୦୮.୩୬ ମିଟରରେ ଦର୍ଜାହୋଇଥିଲା, ଯାହା ୨୦୨୩ ମସିହାରେ ରେକର୍ଡ ହୋଇଥିବା ସର୍ବାଧିକ ୨୦୮.୬୬ ମିଟରଠାରୁ କେବଳ ୦.୩୦ ମିଟର କମ। ଅବିରତ ବର୍ଷା ଏବଂ ଉପର ଅଞ୍ଚଳରୁ ଅଧିକ ପରିମାଣରେ ପାଣି ପ୍ରବେଶ କରିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।
ଏହାର ପ୍ରଭାବରେ ଦିଲ୍ଲୀର ଲାଲକିଲ୍ଲା, ରିଙ୍ଗ୍ ରୋଡ୍, ରାଜଘାଟ, ଆଇଏସବିଟି ଏବଂ ପୁରୁଣା ଦିଲ୍ଲୀ ରେଳଷ୍ଟେସନ ନିକଟରେ ବନ୍ୟା ପାଣି ପ୍ରବେଶ କରିଛି। କେତେକ ସ୍ଥାନରେ ୪-୫ ଫୁଟ୍ ପର୍ଯ୍ୟନ୍ତ ପାଣି ଜମିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ବିପଦ ସ୍ଥିତିକୁ ଦୃଷ୍ଟିରେ ରଖି, ଅନେକ ନିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଦିଲ୍ଲୀ ସହିତ ହରିଆଣାର ଯମୁନାନଗର, ପାନିପତ, ସୋନିପତ ଏବଂ ଉତ୍ତର ପ୍ରଦେଶର ବୃନ୍ଦାବନ, ମଥୁରା ଭଳି ସହରଗୁଡ଼ିକରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିଥିବାରୁ ସାଧାରଣ ଜୀବନ ସହିତ କୃଷିଜମି ବି ଭାରୀ କ୍ଷତିଗ୍ରସ୍ତ ହୋଇଛି।